ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆସୁରିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ସମ୍ପର୍କରେ କହୁଛନ୍ତି-
ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ। ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍।
ଅର୍ଥାତ ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିଙ୍କର ଛଅଟି ଗୁଣ ଉପରେ ଆଲୋକପାତ କରୁଛନ୍ତି । ସେମାନେ କପଟାଚାରୀ ଅଟନ୍ତି, ଅର୍ଥାତ୍ ବାହ୍ୟ ରୂପରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ଧାର୍ମିକ ଆଚରଣ ପ୍ରଦର୍ଶନ କରନ୍ତି, କିନ୍ତୁ ଆନ୍ତରିକ ସ୍ତରରେ ତଦନୁରୂପ ଗୁଣ ସେମାନଙ୍କର ନ ଥାଏ । ଏହା ଏକ କୃତ୍ରିମ (ଜେକିଲ ଏବଂ ହାଇଡ଼୍) ବ୍ୟକ୍ତିତ୍ୱ ସୃଷ୍ଟି କରେ, ଯାହା ଭିତରେ ଅଶୁଦ୍ଧ କିନ୍ତୁ ବାହ୍ୟତଃ ଶୁଦ୍ଧ ପ୍ରତୀତ ହୁଏ।
ଆସୁରିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ବ୍ୟବହାର ଅହଂକାରୀ ତଥା ଅନ୍ୟମାନଙ୍କ ପ୍ରତି ଅଶିଷ୍ଟତାପୂର୍ଣ୍ଣ ହୋଇଥାଏ । ସେମାନେ ନିଜର ଶାରୀରିକ ସମ୍ପତ୍ତି ଯେପରିକି, ଧନ, ଶିକ୍ଷା, ସୌନ୍ଦର୍ଯ୍ୟ, ପଦବୀ ଇତ୍ୟାଦିକୁ ନେଇ ଅହଂକାରଯୁକ୍ତ ରହିଥାନ୍ତି । ଯେତେବେଳେ ସେମାନଙ୍କର କାମନା ଓ ଲୋଭ ପୂରଣ ହୁଏ ନାହିଁ, ସେମାନେ ମନର ନିୟନ୍ତ୍ରଣ ହରାଇ କ୍ରୋଧିତ ହୋଇଉଠନ୍ତି । ଅନ୍ୟମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର ନିଷ୍ଠୁର ଏବଂ କଠୋର ହୋଇଥାଏ ଏବଂ ଅନ୍ୟର ଦୁଃଖ ପ୍ରତି ସେମାନେ ସମ୍ବେଦନା ରହିତ ହୋଇଥାନ୍ତି । ଆଧ୍ୟାତ୍ମିକ ସିଦ୍ଧାନ୍ତ ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥାଏ ଏବଂ ଅଧର୍ମକୁ ସେମାନେ ଧର୍ମ ଭାବରେ ଗ୍ରହଣ କରନ୍ତି।