ନାଁ ନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ : ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ, ମନ୍ତ୍ରୀ ଥାଇ ନିଜ ଅଞ୍ଚଳ ପାଇଁ କରିଛ କ'ଣ? | News Room Odisha

ନାଁ ନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ : ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ, ମନ୍ତ୍ରୀ ଥାଇ ନିଜ ଅଞ୍ଚଳ ପାଇଁ କରିଛ କ’ଣ?

ଅନୁଗୁଳ – ନାଁ ନ ନେଇ ପୁଣି ଥରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତା ପୁଣି କେନ୍ଦ୍ରମନ୍ତ୍ରୀଙ୍କ ନିଜ ଜିଲ୍ଲାରେ । ଆଜି ଅନୁଗୁଳ ଜିଲ୍ଲାର ଗଡସନ୍ତ୍ରୀ ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି। ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ପାଇଁ ଧର୍ମେନ୍ଦ୍ର କ’ଣ କରିଛନ୍ତି ବୋଲି ସାଧାରଣ ସଭାରେ ସିଧାସଳଖ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ

ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ମୁଖ୍ୟତଃ ତିନିଟି ପ୍ରଶ୍ନ ପଚାରିଛନ୍ତି। କେନ୍ଦ୍ରରେ ଦୀର୍ଘ ଦିନ ଧରି ସେ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଂଚଳ ପାଇଁ ତାଙ୍କର କଣ ଅବଦାନ ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରରେ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଚାହିଁଥିଲେ ତାଙ୍କ ଜିଲ୍ଲାରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। କିନ୍ତୁ ସେ ତାହା କରିପାରିଲେ ନାହିଁ। ମନ୍ତ୍ରୀଙ୍କ

ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି । ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିପାରିଥାନ୍ତେ । ସେତିକି ବି ସେ କରିପାରିନାହାନ୍ତି । କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେନାହିଁ ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେହିପରି କଟକରୁ ଅନୁଗୁଳକୁ ଦେଇ ସମ୍ବଲପୁର ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ କାହିଁକି ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି ଯେ, ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି । ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି । ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଗଡ଼ସନ୍ତ୍ରୀଠାରେ ଆୟୋଜିତ ସଭାରେ କହିଛନ୍ତି ।