ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ଓ ଆକ୍ରମଣ ଅଭିଯୋଗର ୭ ଗିରଫ  | News Room Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ଓ ଆକ୍ରମଣ ଅଭିଯୋଗର ୭ ଗିରଫ 

ବ୍ରହ୍ମପୁର – ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ବୀରକୃଷ୍ଣଚନ୍ଦ୍ରପୁର ଗାଁରେ ବାବୁଲା ସାହୁ ଓ ତାଙ୍କ ଭାଇ ବୁଲୁଙ୍କୁ ହତ୍ୟା ଉଦ୍ଯମ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ସୂଚନା ଅନୁସାରେ ଗତ ଡ଼ିସେମ୍ବର ୨୬ ତାରିଖ ସଂଧ୍ୟାରେ ବୀରକୃଷ୍ଣଚନ୍ଦ୍ରପୁର ଗ୍ରାମର ବାବୁଲା ସାହୁ ତାଙ୍କ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ଆଲୋକ ସାହୁ ଓ ଅନ୍ୟ ଦୁଇ ଜଣ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବାବୁଲା ଗୁରୁତର ଆହତ ହୋଇଥିଲେ। ତାଙ୍କ ଭାଇ ବୁଲୁ ସାହୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁରୁତର ଆହତ ବାବୁଲାଙ୍କୁ ପ୍ରଥମେ ଏମକେସିଜି ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବାବୁଲାଙ୍କୁ ଆକ୍ରମଣ ବେଳେ ଅନ୍ୟମାନେ ଉପସ୍ଥିତ ରହି ଆକ୍ରମଣକାରୀ ଆଲୋକ ସାହୁ ଓ ଅନୀଲ ସାହୁଙ୍କୁ ଉସୁକାଇଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀମାନେ ବାବୁଲାଙ୍କ ଭାଇ ବୁଲୁ ସାହୁଙ୍କ ଘରେ ବୋମାମାଡ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଆଲୋକ ସାହୁ ବାବୁଲା ଓ ବୁଲୁଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଧରାପଡିବେ ବୋଲି ବ୍ରହ୍ମପୁର ଏସପି ଡକ୍ଟର ସରବଣା ବିବେକ ଏମ୍ କହିଛନ୍ତି।