ତିନି ଦିନରେ ସରେଣ୍ଡର୍, ପ୍ରଥମ ଟେଷ୍ଟରେ ଭାରତର ଲଜ୍ଜାଜନକ ଇନିଂସ୍ ପରାଜୟ | News Room Odisha

ତିନି ଦିନରେ ସରେଣ୍ଡର୍, ପ୍ରଥମ ଟେଷ୍ଟରେ ଭାରତର ଲଜ୍ଜାଜନକ ଇନିଂସ୍ ପରାଜୟ

ସେଞ୍ଚୁରିଅନ: ପ୍ରଥମ ଟେଷ୍ଟରେ ମାତ୍ର ତିନି ଦିନରେ ସରେଣ୍ଡର କରିଛି ଭାରତ। ଭାରତ ଏହି ଟେଷ୍ଟରେ ଲଜ୍ଜାଜନକ ଭାବେ ଏକ ଇନିଂସ୍ ଓ ୩୨ ରନରେ ହାରିଛି। ବିରାଟ କୋହଲିଙ୍କୁ ଛାଡ଼ି ଦଳର ବାକି ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିବା ବେଳେ ଭାରତ ଦ୍ବିତୀୟ ଇନିଂସରେ ମାତ୍ର ୧୩୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ବିରାଟ କୋହଲି ହିଁ ୫୦ ରନ୍ ଟପିଥିଲେ । ସେ ୭୬ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। କୋହଲିଙ୍କ ସହ ଶୁଭମାନ ଗିଲ୍ (୨୬) ହିଁ ଦଳ ପକ୍ଷରୁ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ । ଦକ୍ଷିଣ ଆଫ୍ରିକାରୁ ନନ୍ଦ୍ରେ ବର୍ଗର୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମାର୍କୋ ୟାନସେନ ୩ଟି ଓ କାଗିସୋ ରବାଡା ୨ଟି ଓ୍ବିକେଟ୍ ହାତେଇଥିଲେ ‌। ଏହି ଜବରଦସ୍ତ ବିଜୟ ସହ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ବିଦାୟୀ ସିରିଜ୍ ଖେଳୁଥିବା ଡିନ୍ ଏଲଗାରଙ୍କ ୧୮୫ ରନର ଚମତ୍କାର ପାଳି ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ ରନ୍ କରିଥିଲା। ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ୟାନସେନ ମଧ୍ୟ ଭାରତୀୟ ବୋଲରଙ୍କୁ ପାଣି ପିଆଇଥିଲେ। ସେ ୮୪ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ବୁମରା ୪ଟି ଓ ସିରାଜ୍ ୨ଟି ଓ୍ବିକେଟ୍ ନେଇଥିଲେ ।

ଭାରତ ୧୬୩ ରନ୍ ପଛରେ ରହି ଦ୍ବିତୀୟ ଇନିଂସ୍ ଆରମ୍ଭ କରିଥିଲା । କିନ୍ତୁ ଦଳର ବ୍ୟାଟିଂ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା।

ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ଜାନୁୟାରୀ ୩ରୁ କେପଟାଉନରେ ଖେଳାଯିବ | ଭାରତ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଥରେ ବି ଟେଷ୍ଟ ସିରିଜ ଜିତିପାରି ନାହିଁ | ପ୍ରଥମ ଟେଷ୍ଟରେ ପରାଜୟ ପରେ ଏଥର ବି ସିରିଜ୍ ବିଜୟ ସ୍ବପ୍ନ ଧୂଳିସାତ୍ ହୋଇଛି |