ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପ୍ରସାରିତ : ବିଏସକେୱାଇ  ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୯୦ ପ୍ରତିଶତ ଲୋକ | News Room Odisha

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପ୍ରସାରିତ : ବିଏସକେୱାଇ  ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସକେୱ।ଇ -ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଏସକେୱ।ଇର ତୃତୀୟ ପର୍ଯ୍ୟାୟରେ ଯୋଜନାରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲଗୁଡିକରେ କ୍ୟାସଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ନୂଆ ବିଏସକେୱ।ଇ-ନବୀନ କାର୍ଡ ମିଳିବ । ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍‌ପିଟାଲଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ, ଯାହାକି ରାଜ୍ୟରେ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ । ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ନବୀନ କାର୍ଡ ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୂରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ବିଏସକେୱ।ଇ ନବୀନ କାର୍ଡର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ବାକାଂକ୍ଷୀ ଲକ୍ଷ୍ୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପଇସା ଅଭାବ ପାଇଁ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେଉ। ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି ବୋଲି ନବୀନ କାର୍ଡ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକିତ୍ସାଳୟଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି।

 

ବିଏସକେୱ।ଇ ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ଏହି ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।

ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ବିଏସକେୱ।ଇ ଏକ ଅନନ୍ୟ ଉଦାହରଣ, ଏକ ଉତ୍ତମ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।