ବରଗଡ଼ରେ ବୀରତା ଦିବସ, "ଜନ୍ମଭୂମି ପାଇଁ ସହିଦଙ୍କ ବଳିଦାନ ବିରଳ" | News Room Odisha

ବରଗଡ଼ରେ ବୀରତା ଦିବସ, “ଜନ୍ମଭୂମି ପାଇଁ ସହିଦଙ୍କ ବଳିଦାନ ବିରଳ”

ବରଗଡ଼: ବରଗଡ଼ ସ୍ଥିତ ହଳଦୀପାଲି ବୀର ଛକ ଠାରେ ଜିଲ୍ଲା ପ୍ରଶାସନ ଓ ସହିଦ ସ୍ମୃତି କମିଟି ପକ୍ଷରୁ ବୀର ମାଟି ଘେଁସର ବୀରପୁତ୍ର ସହିଦ ମାଧୋ ସିଂ ଙ୍କର ବଳିଦାନର ଦିବସ ତଥା ବୀରତା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ବୀର ମାଟି ଘେଁସରୁ ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ହଳଦୀପାଲିର ବୀର ଛକକୁ ଅଣାଯାଇଥିଲା । ଏହି ଅବସରରେ ଏକ ଗଣଦୌଡ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ବାହାରି ବୀରଛକ ପର୍ଯ୍ୟନ୍ତ ଯାଇଥିଲା । ପାଣ୍ଡଵ କର୍ଣ୍ଣ ସହିଦ ମାଧୋ ସିଂଙ୍କ ବେଶରେ ସଜ୍ଜିତ ହୋଇ ଘେଁସରୁ ମଶାଲ ଆଣିଥିଲେ l ଉତ୍ସବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି. ଏସ. ମିନା, ସହିଦ ସ୍ମୃତି କମିଟି ସଭାପତି ପ୍ରମୋଦ ଝାଙ୍କର, ବାର ଆସୋସିଏସନ ସଭାପତି ଭୀଷ୍ମ ଦେବ ସରାଫ, କମିଟିର ଉପ ସଭାପତି ରବିନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ମଂଚାସୀନ ରହି ସହିଦଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଦେଶମାତୃତ୍ୱ ପାଇଁ ବଳିଦାନ ଦେଇଥିବା ଘେଁସ ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁତ୍ର ହଟ୍ଟେ ସିଂ, ଐରି, ସିଂ, ବୈରୀ ସିଂ ଓ କୁଞ୍ଜଲ ସିଂଙ୍କ ସ୍ମୃତିଚାରଣ କରି ମୁଖ୍ୟ ବକ୍ତା ଡ଼.ଜଗଦୀଶ ମିଶ୍ର ମାତୃଭୂମି ପାଇଁ ସଦା ସମର୍ପିତ ରହି ଦେଶର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଵାଧୀନତା ସଂଗ୍ରାମରେ ବୀର ମାଟି ଘେସ ତଥା ସମଗ୍ର ବରଗଡ଼ ଜିଲ୍ଲାର ଅବଦାନ ଓ ଗୋଟିଏ ପରିବାରର ସମସ୍ତେ ସହିଦ ହୋଇଥିବା ଏକ ବିରଳ ଦୃଷ୍ଟାନ୍ତ । ଏହା କେବଳ ବରଗଡ ନୁହେଁ ସମଗ୍ର ଓଡିଶାବାସୀଙ୍କ ପାଇଁ ଗୌରବର ବିଷୟ । ସେହି ବୀର ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଏକ ଭଲ ମଣିଷ ହେବା ପାଇଁ ଜିଲ୍ଲାପାଳ, ଶ୍ରୀମତୀ ବାନାର୍ଜୀ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ମାଧୋ ସିଂଙ୍କ ଏହି ବୀରତ୍ୱର ଗାଥା କିପରି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ସେ ପାଇଁ ଚେଷ୍ଟା କରିବା ପାଇଁ ସମସ୍ତ ସଂଗଠନ ର ସହଯୋଗ କାମନା କରିଥିଲେ l ଏ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l