ଜିଲ୍ଲା ପ୍ରଶାସନ ଓ ସାଂସ୍କୃତିକ ସମାଜ ପକ୍ଷରୁ ବୀରତା ଦିବସ ଓ କବିଗୁରୁ ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ପାଳିତ | News Room Odisha

ଜିଲ୍ଲା ପ୍ରଶାସନ ଓ ସାଂସ୍କୃତିକ ସମାଜ ପକ୍ଷରୁ ବୀରତା ଦିବସ ଓ କବିଗୁରୁ ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ବୀରତା ଦିବସ ଓ କବି ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜସ୍ଟିସ୍‌ ଗୋପରଂଜନ ଦୁବେ କହିଥିଲେ ଯେ,ବୀର ସୁରେନ୍ଦ୍ର ସାଏଙ୍କ ଉଲ୍‌ଗୁଲାନରେ ମାଧୋ ସିଂଙ୍କ ବଳିଷ୍ଠ ସହଯୋଗ ରହିଥିଲା ତେଣୁ ବୀର ସୁରେନ୍ଦ୍ର ସାଏଙ୍କ ଭଳି ସେ ମଧ୍ୟ ଆମର ଚିରସ୍ମରଣୀୟ। ସତ୍ୟତା ବହିଦାର ଜଣେ ସମର୍ପିତ କବି ହେବାସହ ଜଣେ ସୁଶିକ୍ଷକ ମଧ୍ୟଥିଲେ। ସମ୍ବଲପୁରୀ ଭାଷାର ଯେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି ତାହା ସାବ୍ୟସ୍ତ କରିବାରେ ସେ ଜୀବନର ଅଧିକାଂଶ ସମୟ ବିତାଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ତାଙ୍କ ବକ୍ତବ୍ୟ ରଖି କହିଲେ ଯେଉଁମାନେ ଆମ ମାଟି ଓ ଭାଷା ପାଇଁ ତ୍ୟାଗ ଓ ଶ୍ରମ କରିଛନ୍ତି ସେମାନଙ୍କୁ ସ୍ମରଣ ରଖିବା ଆମର କର୍ତ୍ତବ୍ୟ ଅଟେ ।ସମ୍ବଲପୁରୀ ଭାଷା ସମୃଦ୍ଧ ହେଲେ ହିଁ ଓଡିଆ ଭାଷା ସମୃଦ୍ଧ ହେବ। ଆଲୋଚକ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ହୋତା ବୀରତା ଦିବସ ଉପରେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମାଧୋ ସିଂଙ୍କ ଭଳି ଦେଶ ପାଇଁ ସପରିବାର ପ୍ରାଣ ବିସର୍ଜନ କରିଥିବା ଭଳି ପରିବାରର ଦୃଷ୍ଟାନ୍ତ ଭାରତ ଇତିହାସରେ ବିରଳ। ମାଧୋ ସିଂ କେଉଁ କାଳଖଣ୍ଡରେ ସକ୍ରିୟ ଥିଲେ ସେ ସମ୍ପର୍କରେ ଆଲୋଚନା କରିବା ଅପେକ୍ଷା ତାଙ୍କ ତ୍ୟାଗ ଉପରେ ସମାଜକୁ ଜଣାଇବାର ଆବଶ୍ୟକତା ଅଧିକ ରହିଛି। ସେ ସମୟରେ ବିନା ସାଧନରେ ବିଦ୍ରୋହୀମାନଙ୍କ ମଧ୍ୟରେ ଯୋଗାଯୋଗ କିପରି ରହୁଥିଲା ତାହା ଉପରେ ଅଧିକ ଗବେଷଣା ଆବଶ୍ୟକ।ମାଧୋ ସିଂଙ୍କ ଭଳି ବୀରମାନଙ୍କ ବୀରଗାଥା ଆମକୁ ମାଟି ସହ ଆହୁରି ଯୋଡି ଦିଏ ତେଣୁ ତାଙ୍କ ଉପରେ ଅଧିକରୁ ଅଧିକ ଗବେଷଣା ହେବା ଉଚିତ ବୋଲି ସେ ମତ ଦେଇଥିଲେ। ଅନ୍ୟତମ ଆଲୋଚକ କବି ଡ. ପ୍ରଦୀପ କୁମାର ପଣ୍ଡା ସତ୍ୟନାରାୟଣ ବହିଦାରଙ୍କ ଉପରେ ବକ୍ତବ୍ୟ ରଖି କହିଥିଲେ,ମଣିଷ ସହଜରେ ଅତୀତକୁ ଭୁଲି ପାରେନାହିଁ ଆଉ ଆଗମୀକୁ ନେଇ କଳ୍ପନା ପ୍ରବଣହେବାର ଅଭ୍ୟାସକୁ ଛାଡି ପାରେନାହିଁ। ଗୁରୁ ସତ୍ୟନାରାୟଣ ବହିଦାର ଜଣେ ଭାଷା ସଂଗ୍ରାମୀଥିଲେ। ସେ ନିଜ କଥିତ ଭାଷାକୁ ଏକ ମାନକ ସ୍ତରକୁ ନେବା ପାଇଁ ଏକାକି ଆଗକୁ ବଢିଥିଲେ। ତାଙ୍କ ସତ୍‌ପ୍ରୟାସର ପରିଣାମ ସ୍ୱରୂପ ଆଜି ସେହି ଭାଷା ମାନ୍ୟତାପ୍ରାପ୍ତ ହେଲାଣି। ସତ୍ୟନାରାୟଣଙ୍କ ସାହିତ୍ୟର ଯଥାଯଥ ପ୍ରଚାର ହେବା ଉଚିତ। ସେ ସବୁ ଭାଷାକୁ ସମ୍ମାନ ଦେବା ଆମକୁ ଶିଖାଇଛନ୍ତି। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ।