ବଲାଙ୍ଗୀରବାସୀ ପାଇବେ ନୂଆବର୍ଷ ଉପହାର, ଆଜି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ବଲାଙ୍ଗୀରବାସୀ ପାଇବେ ନୂଆବର୍ଷ ଉପହାର, ଆଜି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର -ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗୀରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ୩୦୫ କୋଟି ଟଙ୍କା ବିନିଯୋଗରେ ୬୯ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାରେ ୧୧୨ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ଲୋକେ ଉପକୃତ ହେବେ । ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୭୦ ହଜାର ଲୋକଙ୍କୁ ମିଳିବ ପିଇବା ପାଣି ।

୧୯୯୮ ମସିହାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ୨୦୨୧ ମସିହାରେ ପ୍ରକଳ୍ପ ୫-ଟି ଅଧୀନକୁ ଆସିବା ପରେ ଦ୍ରୁତଗତିରେ ଆଗେଇଥିଲା କାମ । ୫- ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗତବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଯାଇ ପ୍ରକଳ୍ପର ଅଗ୍ରଗତିର ତଦାରଖ କରିଥିଲେ । ଡ୍ୟାମର ଜଳଧାରଣ କ୍ଷମତା ୩୨୦.୨୮ ଲକ୍ଷ କ୍ୟୁବିକ ମିଟର ରହିଥିବା ବେଳେ ପ୍ରକଳ୍ପ ଦ୍ବାରା ଏକ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୮ ଟି ଗାଁର ଲୋକ ନିଜର ଜମି ପ୍ରଦାନ କରିଛନ୍ତି ।