ପାରଳାଖେମୁଣ୍ଡି: ସ୍ବାସ୍ଥ୍ୟକୁ ବେଶ୍ ଉପଯୋଗୀ। ଶରୀର ଓ ପେଟକୁ ଥଣ୍ଡା ରଖିବା ସହ ତ୍ବଚାରେ ଚମକ ଆଣିବାରେ ସହାୟକ ହୋଇଥାଏ ପ୍ରକୃତିରୁ ମିଳୁଥିବା ତଥା ଜୈବିକ ପଦ୍ଧତିରେ ପ୍ରସ୍ତୁତ ତାଳ ଗୁଡ଼। ଏଥିରେ ଭରି ରହିଛି ଆଇରନ୍ ଓ ଭିଟାମିନ୍। ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦ ଯାହା ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଅଟେ, ସେହି ତାଳ ଗୁଡ଼କୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ନିକଟରେ ଆମ ରାଜ୍ୟର ଯେଉଁ କେତୋଟି ଖାଦ୍ୟ ସାମଗ୍ରୀ ବା କଳା କୌଶଳ ଜିଆଇ ଟ୍ୟାଗ୍ (ଜିଓଗ୍ରାଫିକାଲ ଇଣ୍ଡଇକଏସନ୍ ମାନ୍ୟତା) ପ୍ରାପ୍ତ କରିଛି ସେଥିରେ ରହିଛି ଗଜପତି ଜିଲ୍ଲାର ମାଳ ଗୁଡ଼। ଏହି ମାନ୍ୟତା ମିଳିବା ପରେ ଉକ୍ତ ଖାଦ୍ୟ ସାମଗ୍ରୀର ଅଧିକ ଉତ୍ପାଦନ ସହ ପ୍ରଚାର ପ୍ରସାର ଓ ବ୍ୟବସାୟିକ ଦୃଷ୍ଟିରୁ ସହାୟକ ହେବା ଆଶା କରାଯାଉଛି।
ପ୍ରାକୃତିକ ଓ ଜୈବିକ ଉତ୍ପାଦ ଥିବାରୁ ଯୋଗୁଁ ବଜାରରେ ଏହି ଗୁଡ଼ର ଚାହିଦା ରହିଛି। ତାଳ ଗୁଡ଼ ପ୍ରସ୍ତୁତ କରି ଗଜପତି ଜିଲ୍ଲାର ଅନେକ ଆଦିବାସୀ ଓ କୃଷକ ସ୍ଵାବଲମ୍ବୀ ହୋଇପାରୁଛନ୍ତି। ଜିଲ୍ଲାର ଆର୍.ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳର ପ୍ରାୟ ୫୦୦ ଜଣ ଚାଷୀ ତାଳ ଗୁଡ଼ ପ୍ରସ୍ତୁତ କରି ଆୟ ଉପାର୍ଜନ ସହ ଲାଭବାନ ମଧ୍ୟ ହେଉଛନ୍ତି। ଏହି ଗୁଡ଼କୁ ପ୍ରସ୍ତୁତ କରି ଦୈନିକ ପ୍ରାୟ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ଆଦିବାସୀ। ଏହାର ବଜାରୀକରଣରେ ୧୯୬୮ରେ ପ୍ରତିଷ୍ଠିତ ତଥା ଆର୍.ଉଦୟଗିରି ବ୍ଲକ୍ ଲୁବୁରିସିଂ ସ୍ଥିତ ତାଳ ଗୁଡ଼ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି। ତାଳ ଗୁଡ଼ ୩ ପ୍ରକାରର ଯଥା ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ ଯାହାର ମୂଲ୍ୟ ସମବାୟ ସମିତିରେ କିଲୋ ପିଛା ଯଥାକ୍ରମେ ୧୫୦ ଟଙ୍କା, ୮୦ ଟଙ୍କା ଓ ୧୦୦ ଟଙ୍କା ରହିଛି। ଗତ ବର୍ଷ ପ୍ରାୟ ୬୦୦ କୁଇଣ୍ଟାଲ୍ ଗୁଡ଼ ପ୍ରସ୍ତୁତ ତଥା ବିକ୍ରି କରାଯାଇଥିଲା।
ଆଦିବାସୀମାନେ ପ୍ରତ୍ୟହ ସନ୍ଧ୍ୟା ବେଳେ ଖଜୁରୀ ଗଛର ଉପର ଭାଗରୁ କିଛି ମାତ୍ରାରେ କାଟି ସେଥିରେ ଏକ ମାଟି ହାଣ୍ଡି ଝୁଲାଇଥାନ୍ତି। ଦିନକ ପରେ ସକାଳୁ ଏହି ମାଟି ହାଣ୍ଡିରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପ୍ରଣାଳୀରେ ରୋଷେଇ କରି ଏଥିରୁ ତାଳ ଗୁଡ଼ ପ୍ରସ୍ତୁତ କରାଯାଏ। ଯଦିଓ ଆଖୁରୁ ପ୍ରସ୍ତୁତ ଧଳା ତଥା ଚିନି ଗୁଡ଼ର ରଙ୍ଗ ଅପେକ୍ଷାକୃତ ସ୍ୱଚ୍ଛ ତେବେ ତାଳ ଗୁଡ଼ର ରଙ୍ଗ କଳା ଓ ଧୂସର। କିନ୍ତୁ ଏହାର ସ୍ଵାଦ ନିଆରା। ବର୍ତ୍ତମାନ ଏହି ତାଳ ଗୁଡ଼କୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଜିଆଇ ମାନ୍ୟତା ମିଳିବା ପରେ ଏହାର ଚାହିଦା ବୃଦ୍ଧି ପାଇବା ସହ ଚାଷୀ ଏହି ଗୁଡ଼ ଅଧିକରୁ ଅଧିକ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ହେବେ ଓ ଅଧିକ ଲାଭବାନ ହୋଇ ପାରିବେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ତୃଣମୂଳ ସ୍ତରରେ ଉଦ୍ୟୋଗକୁ ପ୍ରୋତ୍ସାହନ ତଥା ଆଦିବାସୀଙ୍କ ଜୀବନ ଜୀବିକା ପ୍ରତି ଗୁରୁତ୍ବର ଫଳସ୍ବରୂପ ଗଜପତି ଜିଲ୍ଲାର ଏହି ମୌଳିକ ଉତ୍ପାଦର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆଶା କରାଯାଉଛି।