ଆଜିଠୁ ଶିଶିର ସରସ -୨୦୨୪, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଆଜିଠୁ ଶିଶିର ସରସ -୨୦୨୪, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଆଜିଠୁ ଆରମ୍ଭ ହେଉଛି ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ଆୟୋଜିତ ହେଉଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଭୁବନେଶ୍ବର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ମେଳା ଆୟୋଜିତ ହେଉଛି, ଯାହା କି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରାୟୋଜିତ ଶିଶିର ସରସ ମେଳାରେ ଏଥର ମୋଟ ୪୦୦ଟି ଷ୍ଟଲ ଖୋଲାଯିବ। ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ। ସେହିପରି ୨୪ଟି ଷ୍ଟଲକୁ ନେଇ ସ୍ବତନ୍ତ୍ର ଫୁଡ୍ କୋର୍ଟ ସହ ସେଲ୍‌ଫି ପଏଣ୍ଟ, ଓରମାସର ମାର୍କେଟିଂ, ଆଜୀବିକା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ବତନ୍ତ୍ର ଥିମ୍‌ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସରକାରୀ ଫ୍ଲାଗସିପ୍ ଯୋଜନାଗୁଡ଼ିକୁ ନେଇ ମେଳାରେ ଆଇଇସି ଷ୍ଟଲ୍ ଖୋଲାଯିବାକୁ ଯୋଜନା ରଖାଯାଇଛି। ମେଳାରେ ମନୋରଞ୍ଜନ ପାଇଁ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର କିଡ୍‌ ଜୋନ୍‌ର ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି। ମେଳା ସମୟରେ ଭିଡ଼ ନିୟନ୍ତ୍ରଣ ଲାଗି ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ। ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ୍ ମେସିନ୍ ଲଗାଇବା, ପାନୀୟ ଜଳ ଯୋଗାଣ, ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଯାନ ରଖିବାକୁ ସ୍ବତନ୍ତ୍ର ପାର୍କିଂ ଜୋନ୍‌ ବ୍ୟବସ୍ଥା ରହିବ।

ବିଭିନ୍ନ ରାଜ୍ୟର ସାମଗ୍ରୀ ସହିତ ଓଡ଼ିଶାର ଆଦିବାସୀ ଅଳଙ୍କାର, ଡୋକ୍ରା ଜିନିଷ, ଟେରାକୋଟା, ଅଦରକାରୀ କାଗଜରୁ ତିଆରି ଘର ସାଜସଜା ସାମଗ୍ରୀ, ଖାଦ୍ୟ ଓ ମସଲା ଆଦି ଜିନିଷ ମେଳାରେ ବିକ୍ରିବଟା କରାଯିବ। ମେଳା ପ୍ରତିଦିନ ସକାଳ ୧୧ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।