ବାଲେଶ୍ଵର ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା  | News Room Odisha

ବାଲେଶ୍ଵର ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯାଇ ବିଭୂତି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ବାଲେଶ୍ଵରର ପୋଲିସ ଗ୍ରାଉଣ୍ଡର ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୫-ଟି ଅଧ୍ୟକ୍ଷ। ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ନୂଆ-ଓ କାର୍ଯ୍ୟକ୍ରମରେ କଥାବାର୍ତ୍ତା କରିଥିଲେ ୫-ଟି ଅଧ୍ୟକ୍ଷ। ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ପ୍ରଦର୍ଶନ ସହ ସାମଗ୍ରିକ ଭାବେ ବ୍ୟକ୍ତିତ୍ୱ ବିକାଶ କିପରି ହୋଇପାରୁଛି, ସେ ନେଇ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ ।

ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ୩୬୯.୩୨ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଟିଚିଂ ହସ୍ପିଟାଲ ଓ କ୍ୟାନସର ହସପିଟାଲର ଅଗ୍ରଗତିର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ସେ ସମୀକ୍ଷା କରିଥିଲେ। ସାଳନ୍ଦୀ ମୁଖ୍ୟ କେନାଲ, ବଙ୍କାତୀର ବ୍ୟାରେଜ, ଭୋଗରାଇ ସଂସ୍କାର ଯୋଜନା, ପଞ୍ଚଲିଙ୍ଗେଶ୍ଵର ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର ଓ ଚନ୍ଦନେଶ୍ଵର ମନ୍ଦିରର ଉନ୍ନତିକରଣ, ଶାନ୍ତିନିକେତନର ବିକାଶ ସମେତ ପ୍ରମୁଖ ସଡ଼କ ଓ ପୋଲ ପ୍ରକଳ୍ପର ସମୀକ୍ଷା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ଜୁନ ୨୦୨୩ରେ ପାଣ୍ଡିଆନଙ୍କ ବାଲେଶ୍ଵର ଜିଲ୍ଲା ଗସ୍ତ ବେଳେ ଜନଶୁଣାଣୀରେ ମିଳିଥିବା ଅନୁରୋଧ ପତ୍ର ଓ ଫିଡବ୍ୟାକ ଅନୁସାରେ ଜିଲ୍ଲାରେ କିଛି ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି ।

ପରେ ୫-ଟି ଅଧ୍ୟକ୍ଷ ନୀଳଗିରି ସବ୍ ଡିଭିଜନାଲ ହସ୍ପିଟାଲ ପରିଦର୍ଶନ କରିଥିଲେ । ହସ୍ପିଟାଲ ପରିସରରେ ଚାଲୁଥିବା ମିଶନ ଶକ୍ତି କାଫେ ବି ବୁଲି ଦେଖିଥିଲେ ପାଣ୍ଡିଆନ।

୫-ଟି ଅଧ୍ୟକ୍ଷ ବାହାନଗା ଗସ୍ତ କରିବା ସହ ଗତବର୍ଷ ଜୁନମାସରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ମାନବୀୟ ସହାୟତା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ। ୫-ଟି ଉପକ୍ରମରେ ବାହାନଗା ସ୍କୁଲର ରୂପାନ୍ତରଣ ସହ ବାହାନଗା ଗ୍ରାମ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଏବଂ ପିଏଚସିର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଥିଲେ ୫-ଟି ଅଧ୍ୟକ୍ଷ। ବାଲେଶ୍ଵର, ସୋର ଓ ନୀଳଗିରିରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।