ଷ୍ଟାଇପେଣ୍ଡ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରା ମେଡିକାଲ ଛାତ୍ରଛାତ୍ରୀ | News Room Odisha

ଷ୍ଟାଇପେଣ୍ଡ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରା ମେଡିକାଲ ଛାତ୍ରଛାତ୍ରୀ

ଭୁବନେଶ୍ବର – ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥିଲେ ।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ, ଭଲ ଟ୍ରେନିଂ ନିଅନ୍ତୁ ଓ ଲୋକଙ୍କ ସେବା କରନ୍ତୁ । ରୋଗୀ ସେବାରେ ଜୀବନର ସାର୍ଥକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ତାଙ୍କ ଜିଲ୍ଲା ଗସ୍ତ ସମୟରେ ସେ ବିଭିନ୍ନ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନକୁ ଯାଇଥିଲେ ଓ ସେଠାରେ ପିଲାମାନଙ୍କଠାରୁ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଅନୁରୋଧ ଗ୍ରହଣ କରିଥିଲେ । ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ଅନୁରୋଧ ରକ୍ଷା କରିଛନ୍ତି । ତେଣୁ ଆପଣମାନେ ମନ ଦେଇ ଲୋକଙ୍କ ସେବା କରନ୍ତୁ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତ ୩ ତାରିଖରେ ନର୍ସିଂ, ଡି ଫାର୍ମା, ଏ.ଏନ୍‌.ଏମ୍‌, କ୍ଲିନିକାଲ ସାଇକୋଲୋଜି ଆଦି ବିଷୟରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଥିଲେ ।