କୃଷି ଓଡ଼ିଶା -୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଥର ଫୋକସରେ 'ମହିଳା କୃଷକ'   | News Room Odisha

କୃଷି ଓଡ଼ିଶା -୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଥର ଫୋକସରେ ‘ମହିଳା କୃଷକ’  

ଭୁବନେଶ୍ବର – ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୪କୁ ଉଦ୍‌‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ୧୪ ଯାଏଁ ତିନି ଦିନ ଚାଲିବ ଏହି କାର୍ଯ୍ୟ କ୍ରମ । କୃଷି ଓଡ଼ିଶା ୨୦୨୪କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ ସମୃଦ୍ଧ କରିପାରିଛି । ‘କୃଷି ଓଡ଼ିଶା-୨୦୨୪’ର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏଥରର ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରଯରେ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

କୃଷି ଓଡ଼ିଶା-୨୦୨୪ରେ ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତିଷ୍ଠାନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ପ୍ରମୁଖ ଲକ୍ଷ୍ୟ ରହିଛି। ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫ହଜାର ମହିଳା କୃଷକ ଏବଂ ୨ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ କୃଷି ଯନ୍ତ୍ରପାତି ତିଆରି କରିଥିବା ୭୦ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।