ହରିୟାଣାରେ ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା | News Room Odisha

ହରିୟାଣାରେ ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା

ଚଣ୍ଡିଗଡ଼: ହରିୟାଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଭାଙ୍ଗିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ଆଲୋଚନା ବିଫଳ ପରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗି ଯାଇଥିବା କୁହାଯାଇଛି। ଏନେଇ ଔପଚାରିକ ଘୋଷଣା ହେବାକୁ ବାକି ଅଛି ।

ସୂତ୍ରରୁ ପ୍ରକାଶ ଯେ ଖଟ୍ଟର ଓ ପୂରା ମନ୍ତ୍ରିମଣ୍ଡଳର ଇସ୍ତଫା ପରେ ବିଜେପି ଏହାର ବିଧାୟକ ଦଳର ବୈଠକ ଡାକିଛି। ଏଥିରେ ନୂଆ ନେତା ନିର୍ବାଚିତ ହେବେ ।

ରାଜ୍ୟର ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୪୧ ଜଣ ବିଧାୟକ ଥିବାବେଳେ ଜେଜେପିରେ ୧୦ ଜଣ ସଦସ୍ୟ ଅଛନ୍ତି। ଜେଜେପିର କିଛି ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟ ବିରୋଧୀ କଂଗ୍ରେସର ୩୦ ଜଣ ବିଧାୟକ ଅଛନ୍ତି । ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି) ଏବଂ ହରିୟାଣା ଲୋକହିତ ପାର୍ଟିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।