ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି  | News Room Odisha

ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ , ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜା ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ଶାସନ , ରାଜନୈତିକ ଜୀବନ ଓ ଜନସଂପର୍କ ଉପରେ ଆଲୋକପାତ କରିଥିଲେ । ରାଜା ମର୍ଦ୍ଦରାଜ ଦେଓ ସର୍ବଦା ଓଡ଼ିଆ ଜାତି ପାଇଁ ଶ୍ରଦ୍ଧାଶୀଳ ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଥିଲା ।

ଗଞ୍ଜାମ ଜିଲ୍ଲା ବୋର୍ଡର ସଭାପତି ଭାବେ ସେ ବହୁ ଲୋକହିତକର କାର୍ଯ୍ୟ କରି ଜନତାଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ । ଏହି ବରପୁତ୍ର ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ । ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବୋଲି ଅଭିହିତ କରିଥିଲେ । ମାନ୍ଦ୍ରାଜ ବିଧାନ ପରିଷଦ ସଦସ୍ୟ ଭାବେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ତତ୍‌କାଳୀନ ଇଂରେଜ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଓ ଦାବି ଉପସ୍ଥାପନ କରିଥିଲେ । ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡୋନେଲ କମିଟି ସମ୍ମୁଖରେ ସାକ୍ଷୀ ହେବା ସହ ଲଣ୍ଡନଠାରେ ଗୋଲଟେବୁଲ ବୈଠକରେ ଯୋଗଦେଇ ତଥ୍ୟପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଯଥାର୍ଥରେ ଓଡ଼ିଆ ଜାତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୀବନ ଓ ଆଦର୍ଶ ନେଇ ବକ୍ତବ୍ୟ ରଖିଥିଲେ । ଜଣେ ପ୍ରଜାବତ୍ସଳ ଓ ଉତ୍ତମ ସଂଗଠକ ଭାବେ ସେ ରାଜ୍ୟବାସୀଙ୍କ ନିମନ୍ତେ ଅନେକ କାର୍ଯ୍ୟ କରିଯାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅନନ୍ୟ । ଜଣେ ସମାଜ ସଂସ୍କାରକ , ସତ୍ୟାନୁରାଗୀ ରାଜା ଭାବେ ସେ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ବିଧାୟିକା ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରି ରାଜା ମର୍ଦ୍ଦରାଜ ଦେଓ ସମଗ୍ର ଓଡ଼ିଆ ଜାତି ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାପରେ ପୂଜ୍ୟପୂଜା ସାହିତ୍ୟ ସଂସଦ , ଭୁବନେଶ୍ଵର ଆନୁକୂଲ୍ୟରେ ଗଞ୍ଜାମର ପ୍ରସିଦ୍ଧ ସଖୀନୃତ୍ୟ ଓ ଭାରତ ଲୀଳା ପରିବେଷିତ ହୋଇଥିଲା । ପୂଜ୍ୟପୂଜା ସାହିତ୍ୟ ସଂସଦର ସଂପାଦକ ମହେଶ୍ଵର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ର ନାଥ ପରିଡ଼ା , ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ , ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ , ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସୂଚନା ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।