ଗଜପତିରେ ଆଉ ୨୮ଟି ଉଚ୍ଚବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ | News Room Odisha

ଗଜପତିରେ ଆଉ ୨୮ଟି ଉଚ୍ଚବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ

ପାରଳାଖେମୁଣ୍ଡି: ଚତୁର୍ଥ ପର୍ଯ୍ୟାୟ ୫-ଟି ରୂପାନ୍ତରୀକରଣ ପ୍ରକ୍ରିୟା ଅନ୍ତର୍ଗତ ଗଜପତି ଜିଲ୍ଲାର ଆଉ ୨୮ଟି ଉଚ୍ଚ ବିଦ୍ୟାଳୟର ନବକଳେବର ହୋଇଛି। ଏସବୁ ରୂପାନ୍ତରିତ ହାଇସ୍କୁଲ ଗୁଡ଼ିକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ମୋହନା ବ୍ଲକ୍ ଆଲିଗଣ୍ଡାର ସି.ଏନ୍. ନିର୍ମଳା ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଯୋଗ ଦେଇଥିବା ବେଳୈ ଆଲିଗଣ୍ଡା ଠାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ପ୍ରମୁଖ। ପୂର୍ବରୁ ଜିଲ୍ଲାର ୧୧୬ଟି ଉଚ୍ଚବିଦ୍ୟାଳୟ ୫-ଟି ରୂପାନ୍ତରୀକରଣ ହୋଇସାରିଛି। ବର୍ତ୍ତମାନ ଏହି ସଂଖ୍ୟା ମୋଟରେ ୧୪୪ରେ ପହଞ୍ଚିଛି।

ସାଂସଦ କହିଥିଲେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଦ୍ୱାରା ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସହ ପିଲାମାନେ ଅତ୍ୟାଧୁନିକ ପ୍ରଣାଳୀରେ ଅଧ୍ୟୟନ କରିବାର ସୁଯୋଗ ପାଇପାରୁଛନ୍ତି। ସହରର ଦାମୀ ଘରୋଇ ଶିକ୍ଷାନୁଷ୍ଠାନ ଭଳି ରାଜ୍ୟର ସବୁ ଗ୍ରାମ ଓ ସହରରେ ଉନ୍ନତ ଶିକ୍ଷା ପରିବେଶ ଥିବା ସରକାରୀ ବା ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯୁଗପଯୋଗୀ ଶିକ୍ଷା ହାସଲ କରିବାକୁ ସମର୍ଥ ହେଉଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଆଭାସୀ କାର୍ଯ୍ୟକ୍ରମରେ ଆଲିଗଣ୍ଡା ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିର୍ମଳା ପାଲ୍ ବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରିଥିଲେ।