ଶ୍ରୀରାମଙ୍କ ଭବ୍ୟ, ସୁନ୍ଦର ଓ ସୂକ୍ଷ୍ମ କଳାକୃତି କରିଛନ୍ତି ବ୍ରହ୍ମପୁରର‌ ଯୁବ ଶିଳ୍ପୀ | News Room Odisha

ଶ୍ରୀରାମଙ୍କ ଭବ୍ୟ, ସୁନ୍ଦର ଓ ସୂକ୍ଷ୍ମ କଳାକୃତି କରିଛନ୍ତି ବ୍ରହ୍ମପୁରର‌ ଯୁବ ଶିଳ୍ପୀ

ବ୍ରହ୍ମପୁର: ସାରା ଦେଶ‌ ଏବେ ଶ୍ରୀରାମ‌ ନାମ ଜପରେ ଝୁମି ଉଠିଛି। ଅଯୋଧ୍ୟାରେ ତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଛି ତେବେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗରର ଯୁବ ଶିଳ୍ପୀମାନେ ଏହି ଅବସରରେ ନିଜ କଳାକୌଶଳ ପ୍ରଦର୍ଶନ କରିଛନ୍ତି। ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପଥର, କାଠ ଓ ଚକଖଡିରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମୂର୍ତ୍ତି ଓ ମନ୍ଦିରର ପ୍ରତିକୃତି ନିର୍ମାଣ କରିଛନ୍ତି। ୧ ସେଣ୍ଟିମିଟର ଓସାର, ୨ ସେମି ଉଚ୍ଚ ଗୋଟିଏ କାଠ ମନ୍ଦିର ଏବଂ ୯ ମିଲିମିଟର ଓସାର, ୪.୫ ସେମି ଉଚ୍ଚ ଆଉ ଏକ କାଠ ମନ୍ଦିର ତିଆରି କରିଛନ୍ତି ସେ। ଏଥିରେ ୧.୮ ସେମି ଓସାର, ୪ ସେମି ଉଚ୍ଚ ରାମଲଲାଙ୍କ ମୂର୍ତ୍ତି ବିଜେ କରିଛି। ଚକଖଡିରେ ସେ ୭ ମିମି ଓସାର, ୧.୮ ସେମି ଉଚ୍ଚ ମନ୍ଦିର ଏବଂ ୭ ମିମି ଓସାର, ୨.୭ ସେମି ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି। ସେହିପରି ପଥରରେ ୧.୫ ସେମି ଓସାର, ୨.୮ ସେମି ଉଚ୍ଚ ମନ୍ଦିର ସୃଷ୍ଟି କରିଛନ୍ତି ସତ୍ୟ ନାରାୟଣ।

ବ୍ରହ୍ମପୁରର କାଷ୍ଟ ଶିଳ୍ପୀ ଦିଲ୍ଲୀପ ମହାରଣା ୧୧ ଇଞ୍ଚ ଓସାର, ୧୪ ଇଞ୍ଚ ଉଚ୍ଚ କାଷ୍ଟ କଳାକୃତି କରିଛନ୍ତି। ଉତ୍କଳୀୟ କଳା ଭାସ୍କର୍ଯ୍ୟ ପ୍ରଦର୍ଶିତ କରୁଥିବା ଏହି ସୃଷ୍ଟିରେ ସେ ଶ୍ରୀରାମ, ମାତା ସୀତା, ବୀର ଲକ୍ଷ୍ମଣ ଓ ଶ୍ରୀହନୁମାନଙ୍କ ସମେତ ଚାରିକୋଣରେ ଚାରି ଧାମ ସ୍ଥାପନ କରିଛନ୍ତି। ୨.୬ ଇଞ୍ଚ ଉଚ୍ଚତାର ଶ୍ରୀରାମ ମୂର୍ତ୍ତି, ୨.୫ ଇଞ୍ଚର‌ ମାତା ସୀତା ଓ ବୀର ଲକ୍ଷ୍ମଣଙ୍କ ମୂର୍ତ୍ତି, ୧.୫ ଇଞ୍ଚର ଉଚ୍ଚ ଶ୍ରୀହନୁମାନ ମୂର୍ତ୍ତି ସହ ୨ ଇଞ୍ଚର ଶ୍ରୀଜଗନ୍ନାଥ ଓ ଶ୍ରୀରାମେଶ୍ବର ମନ୍ଦିର, ୨.୨୫ ଇଞ୍ଚର ଶ୍ରୀବଦ୍ରିନାଥ ଓ ଶ୍ରୀଦ୍ବାରିକା ମନ୍ଦିର ସ୍ଥାପନ କରିଛନ୍ତି। ଏଥିପାଇଁ ସେ ୧୫ ଦିନ କାଳ ପରିଶ୍ରମ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ମାମୁଁ ବାସ୍ତୁବିତ୍ ଡଃ. ସନ୍ନ୍ୟାସୀ ମହାରଣା, ବାପା ଭଗବାନ ଓ ସାନ ଭାଇ ମନୋଜ।