ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ  | News Room Odisha

ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ 

ନୂଆଦିଲ୍ଲୀ – ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ‘ଭାରତରତ୍ନ’ ସମ୍ମାନ ଦିଆଯିବ । ଆଜି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ସମ୍ମାନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜନନାୟକ ଭାବେ ପରିଚିତ କର୍ପୁରୀ ଠାକୁର ବିହାରର ଥରେ ଉପମୁଖ୍ୟମନ୍ତ୍ରୀ, ଦୁଇଥର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଥିଲେ । ୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ସମସ୍ତିପୁର ଜିଲ୍ଲାର ବର୍ତ୍ତମାନ କର୍ପୁରୀଗ୍ରାମରେ ଜନ୍ମ ଗ୍ରହଣ କରିଥିବା କର୍ପୁରୀ ଠାକୁର ୧୯୫୨ ମସିହାରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ସେ କେବେ ବି ନିର୍ବାଚନ ହାରିନଥିଲେ । ୧୯୬୭ରେ କର୍ପୁରୀ ଠାକୁର ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ସେତେବେଳେ ସେ ପରୀକ୍ଷାରେ ଇଂରାଜୀ ଭାଷାର ଅନିବାର୍ଯ୍ୟତା ବନ୍ଦ କରିଥିଲେ । ୧୯୭୦ ମସିହାରେ ସେ ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଥିଲେ ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ନିଜର ପ୍ରଥମ କାର୍ଯ୍ଯକାଳରେ କର୍ପୁରୀ ଠାକୁର କୃଷକଙ୍କ ବିକାଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।

ଏହାଛଡା ସେତେବେଳର ସଚିବାଳୟର ଲିଫ୍ଟ ବ୍ୟବହାର ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବି ଅନୁମତି ଦେଇଥିଲେ । ପୂର୍ବରୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସଚିବାଳୟ ଲିଫ୍ଟ ବ୍ୟବହାର ପାଇଁ ଅନୁମତି ନଥିଲା । ୧୯୭୭ରେ କର୍ପୁରୀ ଠାକୁର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି କାର୍ଯ୍ୟକାଳରେ ସେ ମୁଙ୍ଗେର କମିଶନ ରିପୋର୍ଟ କାର୍ଯ୍ୟକାରୀ କରି ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ଜନହିତକର କାର୍ଯ୍ୟ ପାଇଁ ତାଙ୍କୁ ଜନନାୟକ କୁହାଯାଉଥିଲା । କର୍ପୁରୀ ଠାକୁର ଶିକ୍ଷକତାରୁ ରାଜନୀତିରେ ପାଦ ଦେଇଥିଲେ। ସେ ସୋସାଲିଷ୍ଟ ପାର୍ଟି, ଭାରତୀୟ କ୍ରାନ୍ତି ଦଳ, ଜନତା ପାର୍ଟି ଓ ଲୋକ ଦଳ ସହ ଜଡିତ ଥିଲେ ।