ଅବିଶ୍ବସନୀୟ ରୂପ ନେଇଛି ମାଁ ସମଲେଇଙ୍କ ପୀଠ | News Room Odisha

ଅବିଶ୍ବସନୀୟ ରୂପ ନେଇଛି ମାଁ ସମଲେଇଙ୍କ ପୀଠ

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ। କେଉ କାଳରୁ ଏହି ବିରାଟ ଭୂଖଣ୍ଡର ହୃଦୟରେ ଆସୀନ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ବିଶ୍ବାସ ଏବଂ ଅସ୍ମିତାର ଅନନ୍ୟ ପରିଚୟ ଭାବେ ଉଭା ହୋଇଛନ୍ତି। ଏହି ଅଞ୍ଚଳର ପ୍ରତିଟି ଜନମାନସରେ ମାଁଙ୍କ ସ୍ଥାନ ସର୍ବୋଚ୍ଚରେ। ତାଙ୍କ ଆର୍ଶୀବାଦରୁ ହିଁ ନୂଆଁଖାଇ ଭଳି ପୁରୁଖା ତିହାରରୁ ଆରମ୍ଭ କରି ସବୁ ବିଧି ଆରମ୍ଭ ହୁଏ। ଆଉ ସବୁ ବିଧି ବି ତାଙ୍କଠି ଶେଷ ହୁଏ। ସେଇଥିପାଇଁ ତ ଦେଶରୁ ଆରମ୍ଭ କରି ବିଦେଶ ମାଟିରେ ରହୁଥିବା ପ୍ରତିଟି ହିନ୍ଦୁଙ୍କ ଆସ୍ଥାର ଅନ୍ୟତମ କେନ୍ଦ୍ର ପାଲଟି ଆସିଛି ମାଁଙ୍କ ଏହି ପ୍ରସିଦ୍ଧ ପୀଠ।

କୁହାଯାଏ ବୀର ସୁରେନ୍ଦ୍ର ସାଏ ତାଙ୍କ ସ୍ବାଧୀନତା ସଂଗ୍ରାମ ସମୟରେ ମାଁଙ୍କ ଚରଣରୁ ଆର୍ଶୀବାଦ ନେଇ ହିଁ ବ୍ରିଟିସ ବିରୋଧରେ ସଂଗ୍ରାମକୁ ଓହ୍ଲାଉଥିଲେ। ଏପରିକି ଅସୀରଗଡ ଜେଲରେ ମୃତ୍ୟୁ ପୂର୍ବରୁ ମାଁଙ୍କୁ ସାକ୍ଷାତ ଦର୍ଶନ କରିଥିବା ନେଇ ବି ଇତିହାସ ମତ ଦିଏ। ତେବେ, ପୁରାଣ ମତେ, ଦକ୍ଷ ପ୍ରଜାପତିଙ୍କ ଯଜ୍ଞକୁଣ୍ଡରେ ମାତା ପାର୍ବତୀ ଝାସ ଦେବା ପରେ ମାଁଙ୍କ ଶରୀରର ବିଭିନ୍ନ ଅଂଶ ବିଭିନ୍ନ ସ୍ଥାନରେ ପଡି ଦେବୀ ପୀଠରେ ପରିଣତ ହୋଇଛି। ଏହି ଆଧାରରେ ମାଁଙ୍କ ଜିଭ ସମ୍ବଲପୁରର ମହାନଦୀ କୂଳରେ ଏକ ସେମେଲ ଗଛ ମୂଳରେ ପଡିଥିଲା। ସମ୍ବଲପୁରର ଚୌହାନ ବଂଶର ପଞ୍ଚମ ରାଜା ବଳରାମ ଦେବ ଷୋହଳ ଶତାବ୍ଦୀରେ ମାଁଙ୍କ ସନ୍ଧାନ ପ୍ରଥମ କରି ପାଇଥିଲେ। ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ସେ ଯୋଜନା କରିଥିଲେ ହେଁ ତାଙ୍କ ଶାସନ କାଳରେ ତାହା ସମ୍ଭବ ହୋଇନଥିଲା। ତେବେ, ତାଙ୍କ ଉତ୍ତରାଧିକାରୀ ଛତ୍ର ସାଏଙ୍କ ଦ୍ବାରା ୧୬୫୭ ମସିହାରେ ଆରମ୍ଭ ହୋଇ ୧୬୯୫ ମସିହାରେ ଏହାର ନିର୍ମ।ଣ ଶେଷ ହୋଇଥିଲା।

ଏହି ମନ୍ଦିର ଦୁଇଟି ଭାଗରେ ବିଭକ୍ତ ହୋଇଛି। ମୋଟ ୧୧ଟି ଶିଲା ବା ପଥରର ପିଲାରରେ ଛିଡା ହୋଇଥିବା ମନ୍ଦିର ମଧ୍ୟରୁ ବଡ ଗୁଡି ବା ବଡ ମନ୍ଦିର ଏବଂ ଅନ୍ୟଟି ସାନଗୁଡି ବା ମଣ୍ଡପ। ଏହାର ଚାରିପଟରେ ୧୧ଟି ପାର୍ଶ୍ବଦେବୀ ପୂଜା ପାଉଛନ୍ତି। ଏହି ପାର୍ଶ୍ବଦେବୀ ମାଁଙ୍କ ବିଭିନ୍ନ ରୂପର ଅଂଶ। ତେବେ, ଏଠାରେ ମାଁ ମହାଲକ୍ଷ୍ମୀ, ଆଦିଶକ୍ତି, ମହାସରସ୍ବତୀ ଏବଂ ଜଗତଜନନୀ ରୂପରେ ବିଦ୍ୟମାନ ହୋଇଛନ୍ତି। ମନ୍ଦିରର ଅପୂର୍ବ ଲୀଳା ତଥା ଇତିହାସ ହିଁ ବର୍ଷତମାମ ଭକ୍ତଙ୍କୁ ଆକର୍ଷିତ କରି ଆସିଛି।

ଏହି ପରିପ୍ରେକ୍ଷୀରେ ସମଗ୍ର ପଶ୍ଚିମ ଓଡିଶାର ପର୍ଯ୍ୟଟନରେ ମାଁଙ୍କ ପୀଠ ହିଁ ଏକ ପ୍ରମୁଖ ସ୍ଥାନ ଭାବେ ବିବେଚିତ ହୋଇ ଆସିଛି। ତେବେ, ଏହାର ବିକାଶ ଗତ ଦୁଇ ଦଶନ୍ଧି ମଧ୍ୟରେ କେବଳ ପରିସର ଭିତରେ ସୀମିତ ରହିଥିଲା। କିନ୍ତୁ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦ୍ବିତୀୟ ପ୍ରକଳ୍ପ ଭାବେ ମାଁ ସମଲେଶ୍ବରୀ ମନ୍ଦିରର ବିକାଶ ନେଇ ଯୋଜନା କରିଥିଲେ। ତୁରନ୍ତ ୨ ଶହ କୋଟିର ପ୍ୟାକେଜ ଘୋଷଣା ହୋଇଥିଲା। ସମଲେଶ୍ବରୀ ଟେମ୍ପଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ ଇକୋନମି ଇନିସିଏଟିଭ (ସମଲେଇ) ନାମରେ ସ୍ବତନ୍ତ୍ର ପ୍ରକଳ୍ପ ୨୦୨୧ ଫେବ୍ରୁଆରୀ ମାସରେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏହି ଅନୁଦାନ ରାଶି ୨୫୦ କୋଟିକୁ ବୃଦ୍ଧି ପାଇଥିଲା। ଏବେ ଏହା ୨୯୦ କୋଟିକୁ ଛୁଇଁଥିବା ଜଣାପଡିଛି।

ଏଥିରେ ସାମଗ୍ରୀକ ଭାବେ ମନ୍ଦିର ଏବଂ ଏହାର ଚର୍ତୁଃପାର୍ଶ୍ବର ପ୍ରାୟ ଶହେରୁ ଉର୍ଦ୍ଧ୍ବ ଏକର ପରିମିତ ଅଞ୍ଚଳକୁ ବିକଶିତ କରିବାକୁ ଯୋଜନା ହୋଇଥିଲା। ତୁରନ୍ତ କ୍ୟାବିନେଟରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏହାରି ଭିତରେ ତତ୍କାଳୀନ ୫ଟି ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତୁହାକୁ ତୁହା ସମଲେଶ୍ବରୀ ମନ୍ଦିର ଗସ୍ତ କରି ନିର୍ମାଣ କାମର ସମୀକ୍ଷା କରି ଆସିଥିଲେ। ଇତିମଧ୍ୟରେ ଭକ୍ତ ନିବାସରୁ ଆରମ୍ଭ କରି ନୂତନ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ, ମ୍ୟୁଜିୟମ୍, ପାର୍କ, କ୍ୟାଫେଟେରିଆ, କମନ୍ ଏମିନିଟି ସେଣ୍ଟର ଏବଂ ମହାନଦୀ ଆଳତୀ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆଦି ନିର୍ମାଣ ହୋଇସାରିଛି। ସେହିପରି ସ୍ବତନ୍ତ୍ର ଭାବେ ଦୁଇଟି ଦୀପ ଘର ବି ନିର୍ମାଣ ହୋଇଛି। ମୋଟ୍ ଉପରେ ଏହା ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଆକର୍ଷିତ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥାରେ ପ୍ରକଳ୍ପ ଅଧୀନରେ ଆସୁଥିବା ଲୋକେ ଭିଟାମାଟି ଛାଡି ଦେଲେ। ଆଉ ଇତିମଧ୍ୟରେ ଏହାର ନିର୍ମାଣ ବି ଶେଷ ପର୍ଯ୍ଯାୟରେ ପହଞ୍ଚି ସାରିଥିବା ବେଳେ ଆସନ୍ତା ୨୭ ତାରିଖରେ ଏହାର ଲୋକାର୍ପଣ ପାଇଁ ତିଥି ଧାର୍ଯ୍ୟ ହୋଇସାରିଛି। ଏଥିପାଇଁ ୧୦୮ଟି ଦେବୀ ପୀଠ ସମେତ ବିଭିନ୍ନ ଦେବା ଦେବୀ ପୀଠରେ ନିମନ୍ତ୍ରଣ ଦେବା କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସମଗ୍ର ପଶ୍ଚିମ ଓଡିଶାରେ ଏହାର ଲୋକାର୍ପଣକୁ ଭବ୍ୟ ଆକାରରେ କରିବାକୁ ସ୍ଥିର ହୋଇଛି। ଟ୍ରଷ୍ଟ ବୋର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ନିଉତା ସରିଛି। ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ସାମିଲ ହୋଇ ଲୋକାର୍ପଣ କରିବାକୁ ସମ୍ମତି ଦେଇ ସାରିଛନ୍ତି।

ଲୋକାର୍ପଣ ଅବସରରେ ଆସନ୍ତା ୨୭ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ। ଏଥିପାଇଁ ୨୨ ତାରିଖରୁ ଅଙ୍କୁରାରୋପଣ ବିଧି ଶେଷ ହୋଇଥିବା ବେଳେ ଆସନ୍ତା ୨୬ ତାରିଖରେ ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଆଉ ୨୭ରୁ ୩୧ ପର୍ଯ୍ୟନ୍ତ ହୋମଯଜ୍ଞ ଅନୁଷ୍ଠିତ ହେବ। ୨୭ ତାରିଖ ମଧ୍ଯାହ୍ନ ସାଢେ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପଣ ପାଇଁ ସମୟ ଧାର୍ଯ୍ଯ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ମଧ୍ଯ ଏଥିରେ ସାମିଲ ହେବେ।

ମୋଟ ଉପରେ କହିବାକୁ ଗଲେ ମାଁ ସମଲେଇଙ୍କ ଏହି ପୀଠ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶାକୁ ବିଶ୍ବ ଧାର୍ମିକ ପର୍ଯ୍ୟଟନରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଯାଉଛି। ଏଥିପାଇଁ ସମ୍ବଲପୁରବାସୀଙ୍କ ଠାରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସାରା ସମ୍ବଲପୁର ସହର ଏଥିପାଇଁ ସଜେଇ ହେଉଛି। ସବୁ ପୋଲ ଆଉ କାନ୍ଥ ବାଡ ମ୍ୟୁରାଲ ଆର୍ଟରେ ଚମକିଲାଣି। ଏବେ ଅପେକ୍ଷା ସେହି ମହାର୍ଘ ମୁହୁର୍ତ୍ତକୁ।