ବିଶାଳ ମାନବ ଶୃଙ୍ଖଳ ସୃଷ୍ଟି କଲା ଭୋଟର ଦିବସ ସଚେତନତା | News Room Odisha

ବିଶାଳ ମାନବ ଶୃଙ୍ଖଳ ସୃଷ୍ଟି କଲା ଭୋଟର ଦିବସ ସଚେତନତା

ବ୍ରହ୍ମପୁର: ଚଳିତ ବର୍ଷ ହେଉଛି ସାଧାରଣ ନିର୍ବାଚନର ବର୍ଷ, ବିଶ୍ବର ସର୍ବବୃହତ ସାଧାରଣତନ୍ତ୍ର ରାଷ୍ଟ୍ରରେ ପାଳିତ ହେବ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ମତଦାନର ମହୋତ୍ସବ। ଏଣୁ ଏଥର ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୧୮ ବର୍ଷରେ ପହଞ୍ଚି ସାରିଥିବା ସମସ୍ତ ନୂଆ ତଥା ଯୁବ ଭୋଟର ଯେପରି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ଵ ଦିଆଯାଉଛି। ସେହି ପରିପ୍ରେକ୍ଷୀରେ ଗୁରୁବାର ଜାତୀୟ ଭୋଟର ଦିବସ ସବୁଆଡେ ଉତ୍ସାହର‌ ସହ ପାଳିତ ହୋଇଛି। ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ୧୪ତମ ଜାତୀୟ ଭୋଟର ଦିବସ ପାଳନ ଉପଲକ୍ଷେ ଏକ ବିଶାଳ ମାନବ ଶୃଙ୍ଖଳ ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ତ୍ଵାବଧାନରେ ଆଜି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଚତୁଃପାର୍ଶ୍ଵରେ କରାଯାଇଥିବା ଏହି ବିଶାଳ ମାନବ ଶୃଙ୍ଖଳରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଭାଗ ନେଇଥିଲେ। ଏଥିସହ ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ, ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ ସାମିଲ ହୋଇଥିଲେ l ପ୍ରଶାସନ ତରଫରୁ ମତଦାନ ବିଷୟରେ ସଚେତନତାର ବାର୍ତ୍ତା ନାଗରିକଙ୍କୁ ଦିଆଯାଇଥିଲା। କିପରି ନାଗରିକମାନେ ଶୃଙ୍ଖଳିତ ଓ ସ୍ବଚ୍ଛତାର ସହିତ ମତଦାନ କରିବେ ସେହି ଶପଥ ପାଠ କରାଯାଇ ଥିଲା।

ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭଗୃହରେ ବିଡିଓ, ବିଏଲ୍ଓ (ବୁଥ୍ ସ୍ତରର ଅଧିକାରୀ), ବିଏଲ୍ଓ ସୁପରଭାଇଜରମାନଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା। ବ୍ରହ୍ମପୁର ଉପଖଣ୍ଡର ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର, ଶ୍ରେଷ୍ଠ ଭୋଟର ସାକ୍ଷରତା, ଶ୍ରେଷ୍ଠ ଏଇଆରଓଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କିଛି ନୂତନ ଭୋଟରଙ୍କୁ ମତଦାତା ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।