ଆସନ୍ତାକାଲି ସମଲେଇ ପ୍ରକଳ୍ପ ଲୋକାର୍ପଣ: ହୋମଯଜ୍ଞ ପାଇଁ ଭବ୍ଯ କଳସ ଶୋଭାଯାତ୍ରା | News Room Odisha

ଆସନ୍ତାକାଲି ସମଲେଇ ପ୍ରକଳ୍ପ ଲୋକାର୍ପଣ: ହୋମଯଜ୍ଞ ପାଇଁ ଭବ୍ଯ କଳସ ଶୋଭାଯାତ୍ରା

ସମ୍ବଲପୁର: ସକାଳ ପାହିଲେ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଏହି ଅବସରରେ ଆସନ୍ତାକାଲି ଠାରୁ ୫ ଦିନ ଧରି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି।

ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ମାଁଙ୍କ ପୀଠର ଏହି ଦିବ୍ଯ ରୂପାନ୍ତରିତ ରୂପର ଲୋକାର୍ପଣ ହେବ। ଏଥିପାଇଁ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ଯାପି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ୧୧ ଶହ ମହିଳା ସାମିଲ ହୋଇ ମହାନଦୀର ଅଯୋଧ୍ୟା ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି। ଏଥିରେ ଯୋଡିଶଂଖ ସମେତ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ମନ୍ଦିର ପରିସରକୁ ଫେରିବା ପରେ ଯଜ୍ଞ ପାଇଁ ନିର୍ମିତ ୫ ଟି ମଣ୍ଡପରେ ଏହାକୁ ସ୍ଥାପନା କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟାରୁ ହୋମଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହେବ। ଆଉ ସାଢେ ୧୨ଟାରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ ସହିତ ଯଜ୍ଞରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।
ସେପଟେ ସମଗ୍ର ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ଅନ୍ୟତମ ମୁଖ୍ଯ ଆକର୍ଷଣ ହେଲା ଯେ ଯଜ୍ଞ ମଣ୍ଡପ ଗୁଡିକ ସମ୍ବଲପୁରୀ ବାନ୍ଧକଳାରେ ତିଆରି ବସ୍ତ୍ରରେ ସଜେଇ ହୋଇଛି। ଏହାଛଡା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ଅନ୍ଯ ମୁଖ୍ଯ କଥା ହେଲା ଯେ, ପଶ୍ଚିମ ଓଡ଼ିଶାର ସବୁ ଅଞ୍ଚଳରୁ ମାଁଙ୍କ ପାଇଁ ସିନ୍ଦୁର ଏବଂ ଚୁନରୀ ମଧ୍ଯ ସଂଗ୍ରହ ଚାଲିଛି। ଆଉ ଏଥିରେ ସାମିଲ ହେବାକୁ ରାଜ୍ଯ ତଥା ରାଜ୍ଯ ବାହାରର ୧୦୮ରୁ ଅଧିକ ପୀଠର ପ୍ରତିନିଧି ସମ୍ବଲପୁର ଆସୁଥିବା ଜଣାପଡିଛି।