ବହୁବର୍ଷର ସ୍ୱପ୍ନ ସାକାର : ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  | News Room Odisha

ବହୁବର୍ଷର ସ୍ୱପ୍ନ ସାକାର : ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ସମ୍ବଲପୁର – ଲୋକାର୍ପିତ ହୋଇଛି ଭବ୍ୟ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମା’ଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ଲୋକାର୍ପଣ ସହ ସମ୍ବଲପୁର ସମେତ ସାରା ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ୪୦ ଏକର ଜମିରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ହୋଇଛି । ୨୦୨୧ ମସିହାରେ ସମଲେଇ ପ୍ରକଳ୍ପର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ। ଐତିହାସିକ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ଓ ଏବଂ ଏହାର ଚାରିପାଖର ସୌନ୍ଦର୍ଯ୍ୟକରଣ ସହ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା କରିବା ପାଇଁ କାମ ଆରମ୍ଭ ହୋଇଥିଲା।

୫-ଟି ଉପକ୍ରମର ରାଜ୍ୟର ଐତିହାସିକ ମନ୍ଦିରଗୁଡିକର ଉନ୍ନତିକରଣ ଯୋଜନା ମଧ୍ୟରେ ସମଲେଇ ପ୍ରକଳ୍ପ ଥିଲା ଅନ୍ୟତମ । ଆଜି ସମଲେଇ ପ୍ରକଳ୍ପ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀ ବିଶେଷକରି ସମ୍ବଲପୁରର ଜନସାଧାରଣଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି । ପ୍ରକଳ୍ପ ଲୋକାର୍ପଣ ବେଳେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ମେଗା ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଯେପରି ସରିବ, ସେ ନେଇ ୫-ଟି ଅଧ୍ୟକ୍ଷ ବହୁବାର ସମ୍ବଲପୁର ଯାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ।