ଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ | News Room Odisha

ଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି । ଓଲି ପୋପଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପର୍ଯ୍ୟୟରୁ ମୁକୁଳି ଭାରତକୁ କଡ଼ା ଟକ୍କର ଦେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ଓ୍ବିକେଟ୍ ହରାଇ ୩୧୬ ରନ୍ କରିନେଇଛି । ଭାରତର ଶୀଘ୍ର ବିଜୟ ଆଶାକୁ ଧୂଳିସାତ୍ କରିଦେଇଛନ୍ତି ଓଲି ପୋପ୍ । ହାତରେ ଆହୁରି ୪ ଓ୍ବିକେଟ୍ ବାକିଥିବା ବେଳେ ଏପର୍ଯ୍ୟନ୍ତ ୧୨୬ ରନର ଆଗୁଆ ରହିଛି ଇଂଲଣ୍ଡ। ଷ୍ଟମ୍ପ ଅପସାରଣ ବେଳକୁ ପୋପ୍ ୧୪୮ ରନରେ ଅପରାଜିତ ରହି ଭାରତର ଚିନ୍ତା ବଢ଼ାଇଛନ୍ତି । ରେହାନ୍ ଅହମ୍ମଦ ୧୬ ରନ୍ କରି ପୋପଙ୍କ ସହିତ କ୍ରିଜରେ ଅଛନ୍ତି ।

ଭାରତ ତରଫରୁ ଯସପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।

ପ୍ରଥମ ଇନିଂସରେ ଇଂଲଣ୍ଡର ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ୧୯୦ ରନର ଅଗ୍ରଣୀ ହାସଲ କରିଥିଲା।

ଇଂଲଣ୍ଡ ଦ୍ବିତୀୟ ଇନିଂସରେ ଏକଦା ୧୬୩ ରନରେ ୫ ୱିକେଟ୍ ହରାଇଥିଲା । ତେବେ ପୋପ୍ ଚମତ୍କାର କାଉଣ୍ଟର ଆଟାକ୍ ସହ ଏକ ମନ୍ଥର ପିଚରେ ଭାରତୀୟ ସ୍ପିନରଙ୍କ ଚ୍ୟାଲେଞ୍ଜ ପ୍ରତିହତ କରି ତୃତୀୟ ଦିନରେ ମ୍ୟାଚ୍ ଶେଷ କରିବାକୁ ଆଶା ରଖିଥିବା ଘରୋଇ ଦଳର ଆଶାରେ ପାଣି ଢ଼ାଳି ଦେଇଥିଲେ । ପୋପ୍ ଷଷ୍ଠ ୱିକେଟ୍ ପାଇଁ ବେନ୍ ଫୋକ୍ସ (୩୪ ରନ୍)ଙ୍କ ସହ ୧୦୪ ରନର ଭାଗିଦାରୀ କରି ଭାରତୀୟ ବୋଲରମାନଙ୍କୁ ନିରାଶ କରିଥିଲେ। ସୁଇପ୍ ଓ ରିଭର୍ସ ସୁଇପ୍ ସହ ଭାରତୀୟ ସ୍ପିନରଙ୍କ ଲୟ ବିଗାଡ଼ି ଭାରତ ବିପକ୍ଷରେ ପ୍ରଥମ ଓ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଥିଲେ ପୋପ୍ ।