ଜୟନାରାୟଣଙ୍କ ଝିଅଙ୍କ ଆର୍ବିଭାବକୁ ନେଇ ଝଡ଼, ପଦ ଛାଡ଼ିଲେ ଜିଲ୍ଲା ସଭାନେତ୍ରୀ | News Room Odisha

ଜୟନାରାୟଣଙ୍କ ଝିଅଙ୍କ ଆର୍ବିଭାବକୁ ନେଇ ଝଡ଼, ପଦ ଛାଡ଼ିଲେ ଜିଲ୍ଲା ସଭାନେତ୍ରୀ

ସମ୍ବଲପୁର: ସମ୍ବଲପୁର ବିଜେପିରେ ବିଦ୍ରୋହ। ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ ଏକପ୍ରକାର ଝଡ ସୃଷ୍ଟି ହେଲାଣି। ଝିଅ ଶୁଭଶ୍ରୀ ଏବଂ ଧର୍ମପତ୍ନୀ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି। ଆଉ ଏହାକୁ ବିରୋଧ କରି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଆଜି ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇ ଯାଇଛି। ସେପଟେ, ଦଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ବେଳକୁ ଏହି ଘଟଣା କର୍ମୀ ମହଲରେ ବି ହତାଶାର କାରଣ ହେଲାଣି।

ବିଧାୟକ ଜୟନାରାୟଣ ପାଖାପାଖି ବର୍ଷେ ହେଲା ସମ୍ବଲପୁର ମାଡି ନାହାନ୍ତି। ଅସୁସ୍ଥତା ଯୋଗୁଁ ସେ ସମ୍ବଲପୁର ଆସୁନଥିବା ତାଙ୍କର ଅନୁଗତ କହି ଆସୁଥିବା ବେଳେ ସେ ଅଧିକାଂଶ ସମୟ ଭୁବନେଶ୍ବରରେ ହିଁ ରହୁଛନ୍ତି। ଏପରିକି ଦଳୀୟ କାମରେ ବାରମ୍ବାର ଦିଲ୍ଲୀ ମଧ୍ୟ ଗସ୍ତ କରୁଛନ୍ତି। କିନ୍ତୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀକୁ ଆଦୌ ଆସୁନାହାନ୍ତି। ଏହାକୁ ନେଇ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ତେବେ, ଅସୁସ୍ଥତା ଯୋଗୁଁ ଦଳ ଜୟନାରାୟଣଙ୍କ ବିକଳ୍ପ ସନ୍ଧାନରେ ଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ନିର୍ବିବାଦୀୟ ଚେହେରା ତଥା ଜିତିବାର ସମ୍ଭାବନା ଥିବା ଭଳି ପ୍ରାର୍ଥୀ ଦଳ ଖୋଜି ପାରିନଥିବା ଆଲୋଚନା ହୋଇ ଆସୁଛି। ଜାତୀୟ ସ୍ତରରେ ଦଳ ପରିବାରବାଦକୁ ବିରୋଧ କରି ଆସୁଥିବା ବେଳେ ସମ୍ବଲପୁରରେ ଜୟନାରାୟଣଙ୍କ ଝିଅ କିମ୍ବା ଧର୍ମପତ୍ନୀଙ୍କ ପ୍ରାର୍ଥୀତ୍ବ ନେଇ ବି ଆଲୋଚନା ହୋଇ ଆସିଛି।

ଏହି ସ୍ଥିତିରେ ଗତ ୨୩ ତାରିଖରେ ପ୍ରଥମ କରି ଜୟଙ୍କ ଝିଅ ଶୁଭଶ୍ରୀ ଭୁବନେଶ୍ବରରୁ ଆସି ସମ୍ବଲପୁରର ଦଳୀୟ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପରୋକ୍ଷରେ ନିଜର ପ୍ରାର୍ଥୀତ୍ବ ନେଇ ଇସାରା ଦେଇଥିବା ବି ଚର୍ଚ୍ଚା ହୋଇଛି। ହେଲେ ଶୁଭଶ୍ରୀ ଏବଂ ତାଙ୍କ ମା କୁଆଡେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗକୁ ନେଇ ଦଳରେ ଝଡ ସୃଷ୍ଟି ହେଲାଣି। ଶୁଭଶ୍ରୀ ସମ୍ବଲପୁର ଆସିବା ପରେ କୁଆଡେ ତାଙ୍କ ଡ୍ରାଇଭର ଜରିଆରେ ଅନ୍ନପୂର୍ଣ୍ଣାଙ୍କୁ ଫୋନ କରି ଡକାଇଥିଲେ। ଆଉ ଶୁଭଶ୍ରୀ ବୟସରେ ଝିଅ ବୟସର ହେବା ସତ୍ତ୍ବେ ତାଙ୍କୁ ନମସ୍କାର କରିବାକୁ କୁଆଡେ ଜୟଙ୍କ ପତ୍ନୀ ଫୋନ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଶୁଭଶ୍ରୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବି ଅନ୍ନପୂର୍ଣ୍ଣାଙ୍କୁ ଜୟଙ୍କ ପତ୍ନୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦଳୀୟ ନିର୍ଦ୍ଦେଶ ନଥିବାରୁ ସେ ମନା କରି ଦେଇଥିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅନ୍ନପୂର୍ଣ୍ଣା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ଆଉ ଏହାର ପ୍ରତିବାଦରେ ଅନ୍ନପୂର୍ଣ୍ଣା ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାଦ୍ବାରା ପରୋକ୍ଷରେ ସେ ଜୟଙ୍କ ପରିବାରବାଦକୁ ବିରୋଧ କରିଥିବା ଚର୍ଚ୍ଚା ହେଉଛି। ଅନ୍ନପୂର୍ଣ୍ଣା ଗତ ଅଢେଇ ଦଶନ୍ଧି ଧରି ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ତଥା ଜୟଙ୍କ ସବୁଠୁ ବଡ ଅନୁଗତ ଭାବେ ବେଶ ଜଣାଶୁଣା ଥିଲେ। ବର୍ତ୍ତମାନ ଏହି ଘଟଣା କର୍ମୀ ମହଲରେ ଆଲୋଚନାର ବିଷୟ ହୋଇଛି। ସେପଟେ, ଗତ ୫ ବର୍ଷ ମଧ୍ୟରେ ଜୟ ସମ୍ବଲପୁରରେ କ୍ବଚିତ ଦେଖା ଦେଇଥିବା ବେଳେ ସାଂସଦ ମଧ୍ୟ ନିଖୋଜ ଥିବା ନେଇ ବାରମ୍ବାର ଚର୍ଚ୍ଚା ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ଜୟଙ୍କ ପରିବାର ମଧ୍ୟରୁ କାହାରିକୁ ଥଇଥାନକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଙ୍କ ବିରୋଧୀ ଗୋଷ୍ଠୀ ମହଲରେ ମତପ୍ରକାଶ ପାଇଲାଣି।