ଆଜିଠୁ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାର ବୁଲାଇବେ ପରିକ୍ରମା ପ୍ରକଳ୍ପ | News Room Odisha

ଆଜିଠୁ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାର ବୁଲାଇବେ ପରିକ୍ରମା ପ୍ରକଳ୍ପ

ପୁରୀ -ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ। ଘରୁ ଘରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଗୃହୀତ ହୋଇଥିଲା ଅକ୍ଷତ, ଗୁଆ। ସେତେବେଳେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଆଧାରରେ ଆଜିଠାରୁ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।

ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ବରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବେ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡ଼ର ବସ୍‌‌ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରକୁ ନିଆଯିବ। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ। ଏହି କାର୍ଯ୍ୟରେ ବିଭିନ୍ନ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।