ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ , ହିମାଚଳ ପ୍ରଦେଶ ବିପକ୍ଷରେ ୨୩୮ ରନରେ ବିଜୟୀ | News Room Odisha

ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ , ହିମାଚଳ ପ୍ରଦେଶ ବିପକ୍ଷରେ ୨୩୮ ରନରେ ବିଜୟୀ

କଟକ – ଟାଙ୍ଗୀ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଗ୍ରୁପ୍ ଡି ଏଲିଟ୍ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା, ହିମାଚଳ ପ୍ରଦେଶ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ଓଡ଼ିଶା ୨୩୮ ରନରେ ବିଜୟୀ ହୋଇଛି । ଚଳିତ ରଣଜୀ ସିଜନରେ ଓଡ଼ିଶାର ଏହା ପ୍ରଥମ ବିଜୟ ।
ହିମାଚଳ ପ୍ରଦେଶ ପାଇଁ ଓଡ଼ିଶା ୩୮୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଥିଲା । ଆଜି ମ୍ୟାଚର ଚତୁର୍ଥ ଦିନରେ ହିମାଚଳ ପ୍ରଦେଶ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧ ୱିକେଟରେ ୩୩ ରନରୁ ଖେଳିବା ଆରମ୍ଭ କରିଥିଲା । ହେଲେ ଓଡ଼ିଶା ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୪୯ ରନରେ ଅଲଆଉଟ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ଦ୍ରୁତ ବୋଲର ରାଜେଶ ମହାନ୍ତି ୩୩ ରନ୍ ଦେଇ ସର୍ବାଧିକ ୫ ୱିକେଟ ଅକ୍ତିଆର କରିଥିଲେ । ବିପ୍ଲବ ସାମନ୍ତରାୟ ୨ଟି ୱିକେଟ ନେଇଥିଲେ।

ଏହି ମ୍ୟାଚରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ମାତ୍ର ୧୩୮ ରନ୍ କରିଥିଲା । ଏହାର ଜବାବରେ ହିମାଚଳ ପ୍ରଦେଶ ପ୍ରଥମ ଇନିଂସରେ ୧୭୬ ରନ୍ କରିଥିଲ । ପ୍ରଥମ ଇନିଂସରେ ମାତ୍ର ୩୮ ରନରେ ପଛୁଆ ରହିବା ପରେ ଓଡ଼ିଶା ଦ୍ୱିତୀୟ ଇନିଂସରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଓପ୍ନର ସନ୍ଦୀପ ପଟ୍ଟନାୟକଙ୍କ ଆକର୍ଷଣୀୟ ୧୫୦ ଓ ଅନୁରାଗ ଷଡ଼ଙ୍ଗୀଙ୍କ ଅପରାଜିତ ୭୦ ରନ୍ ବଳରେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ୪୨୫ ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା । ଓଡ଼ିଶାର ଦ୍ୱିତୀୟ ଇନିଂସରେ ଲଢୁଆ ୧୫୦ ରନ୍ କରିଥିବା ସନ୍ଦୀପ ପଟ୍ଟନାୟକ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଏହି ସିଧାସଳଖ ବିଜୟ ସହ ଓଡ଼ିଶା ପୁରା ୫ ପଏଣ୍ଟ ପାଇଛି । ଓଡ଼ିଶା ବରୋଦାଠାରୁ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶ ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲା । କିନ୍ତୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ତିନି ପଏଣ୍ଟ ହାସଲ କରିଥିଲା ।ତୃତୀୟ ମ୍ୟାଚରେ ଜାମ୍ମୁ କାଶ୍ମୀରଠାରୁ ପରାସ୍ତ ହୋଇଥିଲା ଦଳ ।