ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମର ମାରଦା ଅଞ୍ଚଳରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ ।
ହାତୀବାଡ଼ି ପାହାଡ଼ର ଉପକଣ୍ଠ ରେ ଥିବା ରୁମାଗଡ଼ର ଜଙ୍ଗଲ ମଧ୍ୟରେ ମହାପ୍ରଭୁଙ୍କୁ ରଖା ଯାଇଥିଲା ।ତତ୍କାଳୀନ ଆଠଗଡ଼ ରାଜା ରଘୁନାଥ ହରିଚନ୍ଦନ ଜଗଦେବ ଖବର ପାଇ ମହାପ୍ରଭୁଙ୍କ ରହଣୀ ନିମନ୍ତେ ଏଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ । ତତ୍କାଳୀନ ଦକ୍ଷ କଳିଙ୍ଗ ଶିଳ୍ପୀମାନେ , ଦୀର୍ଘ ୪୫ ଦିନ ପରିଶ୍ରମ କରି ଏଠାରେ ଥିବା ମନ୍ଦିର କୁ ମହାପ୍ରଭୁଙ୍କ ନିମନ୍ତେ ଗଢି ତୋଳିଥିଲେ । ଏହି ସ୍ଥାନରେ ମହାପ୍ରଭୁ ଦୀର୍ଘ ୨ ବର୍ଷ ୬ ମାସ ରହଣୀ କରିଥିଲେ । ଏହି ସମୟରେ ମହାପ୍ରଭୁଙ୍କ ଗୁପ୍ତ ରେ ସମସ୍ତ ନୀତି ତଥା ଅବକାଶ , ଗୋପଲବଲ୍ଲଭ , ସକାଳ ଧୂପ , ମଧ୍ୟାହ୍ନ ଧୂପ , ସନ୍ଧ୍ୟା ଧୂପ , ବଡ଼ସିଂହାର ଧୂପ ଆଦି ବିନା ଘଣ୍ଟ ବାଦ୍ୟରେ ସମାପନ ହେଉଥିଲା । ପ୍ରତିଦିନ ଏହି ସ୍ଥାନକୁ ୩୦୦ ରୁ ଉର୍ଦ୍ଧ୍ବ ପାଇକ ସେନା ଜଗି ରହୁଥିଲେ। ଏହି ସ୍ଥାନର ବାହ୍ୟ ଅଞ୍ଚଳକୁ ସୁରକ୍ଷା ଦେଉଥିଲେ ଆଠଗଡ଼ ରଜାଙ୍କ ବଳାସି ସୈନ୍ୟବାହିନୀ। ତାଙ୍କର ଯୁଦ୍ଧ କଳାକୁ ଦେଖି ତକି ଖାଁ ଏହି ସ୍ଥାନଠୁ ଦୁରାଇ ରହିଥିଲା ।
ଏହି ସ୍ମୃତିକୁ ବହନ କରି ଆଜି ମଧ୍ୟ ଏହି ମନ୍ଦିର ରହିଛି , ରହିଛି ମହାପ୍ରଭୁଙ୍କ ଦିବ୍ୟ ରତ୍ନବେଦୀ ଏବଂ ଆଠଗଡ଼ ରଜାଙ୍କ ସହଯୋଗ କୁ ସମ୍ମାନ ଜଣାଇ ଆଜି ମଧ୍ୟ ପ୍ରତି ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଉଠିଲା ବେଳ ଗଜପତି ମହାରାଜଙ୍କ ନାମ ସହ ତାଙ୍କ ନାମ ଯୋଡ଼ା ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଉଛି।
ଆକ୍ରମଣ କାଳେ ମହାପ୍ରଭୁ ଏଠାରେ ରହିଥିବାରୁ , ଗଜପତି ରାମଚନ୍ଦ୍ରଦେବ , ସେବକ ଓ କିଛି ମଠ ମହନ୍ତଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନ କୁ ଶରଣ ଶ୍ରୀକ୍ଷେତ୍ର ବୋଲି କୁହାଯାଏ।
ଚତୁର୍ଦ୍ଧା ବିଗ୍ରହ ଏହି ସ୍ଥାନରୁ ଶ୍ରୀକ୍ଷେତ୍ରକୁ ୧୭୩୬ ମସିହା ରେ ଫେରିବା ରତ୍ନସିଂହାସନରେ ବିଜେ ହେବା ପରେ ଆଉ କେବେ ହେଲେ ଆକ୍ରମଣ କାଳରେ ଶ୍ରୀକ୍ଷେତ୍ର ଛାଡ଼ି ଅନ୍ୟତ୍ର ଯାଇନାହାନ୍ତି।