ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ | News Room Odisha

ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ

ଭୁବନେଶ୍ୱର – ସ୍ଥାନୀୟ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଓ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ , କୁଳସଚିବ ଶ୍ୟାମଳୀ ମହାପାତ୍ର , ରେଭେନ୍ସା ବିଶ୍ଵବିଦ୍ୟାଳୟ , ଉତ୍କଳ ବିଶ୍ଵବିଦ୍ୟାଳୟ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ , ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ , ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ , ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଅଭିନବ ଯୋଜନା ଏବଂ ଛାତ୍ରବୃତ୍ତି ପ୍ରଣୟନ କରିଛନ୍ତି । ଭିଭିଭୂମି ଉନ୍ନୟନ , ଉପଲବ୍ଧ ସୁବିଧାଗୁଡ଼ିକର ଆଧୁନିକୀକରଣ ଏବଂ ସମସାମୟିକ ଶିକ୍ଷା ବ୍ୟବସ୍ଥା ସହିତ ଗତି କରିବା ପାଇଁ ଉନ୍ନତ ପାଠ୍ୟକ୍ରମ ପ୍ରଚଳନ ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଶିକ୍ଷାଦାନରେ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ପ୍ରତିପାଦନ କରି ଓଡ଼ିଶା ସରକାର କେବଳ ଏହି ସମ୍ମାନଜନକ ଅନୁଷ୍ଠାନଗୁଡ଼ିକର ଐତିହ୍ୟ , ସଂସ୍କୃତିକୁ ସରଂକ୍ଷଣ କରୁନାହାନ୍ତି ବରଂ ଏକବିଂଶ ଶତାବ୍ଦୀରେ ଶିକ୍ଷା ପାଇଁ ଗତିଶୀଳ କେନ୍ଦ୍ର ଭାବରେ ସ୍ଥାନିତ କରିଛନ୍ତି । ଯୁବପିଢି ଆମ ଓଡ଼ିଶାର ଇତିହାସ ଓ ମହାପୁରୁଷଙ୍କୁ ଜାଣିବା ଦରକାର ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ।

ବିଶ୍ଵବିଦ୍ୟାଳୟ ହେଉଛି ଉଚ୍ଚଶିକ୍ଷା ଏବଂ ଗବେଷଣାର ଏକ ଅନୁଷ୍ଠାନ । ଏବଂ ଏହି ଅନୁଷ୍ଠାନଗୁଡିକ ଏକ ଉନ୍ନତ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ସହିତ ସେମାନଙ୍କ ଜୀବନର ମାନବୀୟ ମୂଲ୍ୟବୋଧକୁ ପରିପୁଷ୍ଟ କରାଇଥାଏ ବୋଲି ନିଜ ବକ୍ତବ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ ।

ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ ଯେ , ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଗବେଷଣା , ନୂତନତ୍ଵ ଓ ଜିଜ୍ଞାସା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ଓ ବ୍ୟବସ୍ଥା ସୃଷ୍ଟି କରାଯାଉଛି । ସେହିସବୁ ସୁବିଧା ସୁଯୋଗର ଭରପୂର ଉପଯୋଗ କରିଲେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନୂତନ ଇତିହାସ ରଚି ପାରିବ ।

ପ୍ରତିଯୋଗିତାରେ ରାଜ୍ୟର ୧୮ଟି ବିଶ୍ୱବିଦ୍ୟାଳୟରୁ ବହୁସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡିଆ ଭାଷା ସାହିତ୍ୟ , ଜଗନ୍ନାଥ ସଂସ୍କୃତି ଉପରେ ବହୁଭାଷୀ ପ୍ରବନ୍ଧ ଲିଖନ , ବହୁଭାଷୀ ତର୍କ , ଡ୍ରାମା , କବିତା ପାଠ , ଡ୍ୟାନ୍ସ , ସଙ୍ଗୀତ , କୁଇଜ , ଚିତ୍ରାଙ୍କନ , କମେଡ଼ି , କ୍ଷୁଦ୍ର ଚଳଚ୍ଚିତ୍ର , ହାସ୍ୟରସାତ୍ମକ କଥା ପ୍ରଭୃତି ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ପୁରସ୍କୃତ କରିଥିଲେ ।