ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଆୟୋଜନ, ବିଭାଗୀୟ ପ୍ରକୋଷ୍ଠରେ ସର୍ବାଧିକ ଜନସମାଗମ | News Room Odisha

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଆୟୋଜନ, ବିଭାଗୀୟ ପ୍ରକୋଷ୍ଠରେ ସର୍ବାଧିକ ଜନସମାଗମ

ଭୁବନେଶ୍ୱର – ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଆୟୋଜନ ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବେଶ୍ ଆକର୍ଷିତ ହୋଇଥିଲେ । ଏଥିରେ ଓଡ଼ିଶାରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରାଯାଉଛି । ବିଭାଗ ପକ୍ଷରୁ ନିଜ କ୍ଷେତ୍ରରେ ଏଥିନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟକାର୍ଡ ବିନିମୟ । ସ୍କୁଲ ପିଲାମାନଙ୍କୁ ବିଶେଷ ଭାବରେ ପୋଷ୍ଟକାର୍ଡ ବିନିମୟ ଆକର୍ଷିତ କରିବାରେ ସଫଳ ହୋଇପାରିଛି । ରଥଯାତ୍ରା, ରଜ, ଝୋଟିକଳା, ପୋଡ଼ପିଠା, ଦୋଳିଖେଳ, ଓଡ଼ିଶୀ, ସମ୍ବଲପୁରୀ ଇତ୍ୟାଦି ସମେତ ଓଡ଼ିଶାର ବିଶେଷତ୍ୱକୁ ଦର୍ଶାଉଥିବା ବିଭିନ୍ନ ପ୍ରକାରର ଚିତ୍ର ଏଠାରେ ପୋଷ୍ଟକାର୍ଡ ମାଧ୍ୟମରେ ସ୍ଥାନିତ ହୋଇଛି । ପ୍ରଦର୍ଶନୀକୁ ଆସୁଥିବା ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର ପୋଷ୍ଟକାର୍ଡ ବାଛି ଏଥିରେ ସୁନ୍ଦର ସୁନ୍ଦର ‘ସ୍ମୃତିଲେଖ’ ଲେଖି ଏହାକୁ ନିଜ ପ୍ରିୟଜନଙ୍କୁ ପଠାଉଛନ୍ତି ।

ଏଥିସହ ଦ୍ୱିତୀୟ ଦିନରେ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ବକ୍ତା ଭାବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ‘ଓଡ଼ିଶାର ପ୍ରତ୍ନତତ୍ତ୍ୱ’ ବା ‘ଆର୍କିଓଲୋଜି ଅଫ୍ ଓଡ଼ିଶା’ ଶୀର୍ଷକରେ ଆୟୋଜିତ ପ୍ରଥମ ଅଧିବେଶନରେ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ର ଓମ୍ ଶ୍ରୀ ରଣବୀର ସିଂ ଓ କଳା ବିଭାଗର ଛାତ୍ରୀ ଆବୃତି ଦାଶ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଅପରାହ୍ନ ୩ଟାରୁ ୫ଟା ୩୦ ପର୍ଯ୍ୟନ୍ତ ‘ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ’ ଶୀର୍ଷକରେ ଚାଲିଥିବା ଦ୍ୱିତୀୟ ଅଧିବେଶନରେ ବାଲିଅନ୍ତା ବେଣ୍ଟପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଚୌଧୁରୀ ଅଙ୍କିତା ଦାଶ ଅଭିଭାଷଣ ପ୍ରଦାନ କରିଥିଲେ ।

ସମ୍ମିଳନୀରେ ପ୍ରଥମ ଦିନ ୧୨ ଜଣ ଗାଇଡ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଦୁଇଟି ଅଧିବେଶନରେ ୪୦୦ଜଣ ଛାତ୍ରଛାତ୍ରୀ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ପ୍ରଥମ ଅଧିବେଶନରେ ୨୦୦ ଓ ଦ୍ୱିତୀୟ ଅଧିବେଶନରେ ୨୦୦ ଛାତ୍ରଛାତ୍ରୀ ୧୨ ଜଣ ଗାଇଡ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।