କନ୍ଧମାଳ ପୋଲିସକୁ ବଡ଼ ସଫଳତା: କେକେବିଏନ୍ କମାଣ୍ଡର୍ ଦାସୁରୁ ମୃତ | News Room Odisha

କନ୍ଧମାଳ ପୋଲିସକୁ ବଡ଼ ସଫଳତା: କେକେବିଏନ୍ କମାଣ୍ଡର୍ ଦାସୁରୁ ମୃତ

ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି। ଏଥର ମଧ୍ୟ ପୋଲିସକୁ ଆମ୍ବୁସ୍ କରିବାକୁ ଟାର୍ଗେଟ୍ କରିଥିବା ମାଓ ବାହିନୀ ଓଲଟା ସୁରକ୍ଷାକର୍ମୀଙ୍କ ଗୁଳିରେ ନିଜର ଜଣେ ଟପ୍ କମାଣ୍ଡରକୁ ହରାଇଛି। ପୋଲିସ ସହ ଗୁଳି ବିନିମୟରେ କେକେବିଏନ୍ (କନ୍ଧମାଳ- କଳାହାଣ୍ଡି- ବୌଦ୍ଧ- ନୟାଗଡ଼) ଡିଭିଜନ୍ କମାଣ୍ଡର୍ ଦାସୁରୁ ମଣ୍ଡାରୀ (ଗୁଡୁ) ପ୍ରାଣ ହରାଇଛି। ଶନିବାର ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କାକେରିକୁପା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଥିବା ବେଳେ ପୋଲିସକୁ ଏହି ବଡ଼ ସଫଳତା ମିଳିଥିବା ଫୁଲବାଣୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଉପରୋକ୍ତ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ୍, ଜିଲୋଟିନ୍ ଷ୍ଟିକ୍, ତାର, ଔଷଧ, ପୋଷାକ, ମାଓ ପୁସ୍ତକ, ନିତ୍ୟ‌ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ପୋଲିସ ରେକର୍ଡ ମୁତାବକ ଏହି ଦୁର୍ଦ୍ଦାନ୍ତ ମାଓ ନେତା ବିରୋଧରେ ହତ୍ୟା, ଲୁଣ୍ଠନ ଭଳି ୨୨ରୁ ଅଧିକ କେସ୍ ରହିଥିବା ବେଳେ ତା ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରହିଥିଲା। ଏହି ମାଓ ନେତା ସୁଡ୍ରା ଅଞ୍ଚଳରେ ଗାଁ କୁ ଗାଁ ବୁଲି ଆଗାମୀ ନିର୍ବାଚନ ବର୍ଜନ କରିବା ତଥା ଭୋଟ ନଦେବାକୁ ଅଞ୍ଚଳବାସୀଙ୍କୁ ଭୟଭୀତ କରାଉଥିଲେ। ପୋଲିସ ଏ ନେଇ ଗୋଇନ୍ଦା ସୂଚନା ପାଇବା ସହ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା। ଆଉ ଚଳିତ ବର୍ଷର ପ୍ରଥମ ବଡ଼ ସଫଳତା ପାଇଥିଲା। ଦାସୁରୁର ମୃତ୍ୟୁ ଲାଲ୍ ବାହିନୀ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି। ଛତିଶଗଡ଼ ରାଜ୍ୟ ସୁକମା ଅଞ୍ଚଳର ବାସିନ୍ଦା ଦାସୁରୁ ଗତ ଦେଢ଼ ଦଶନ୍ଧି ଧରି କନ୍ଧମାଳ- ବୌଦ୍ଧ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଡ୍ୟୁଟିରେ ଥିବା ମହିଳା ଜିଆରଏସଙ୍କ ହତ୍ୟା, ଠିକା ସଂସ୍ଥା ଜଗୁଆଳି ହତ୍ୟା ସହ ଗାଡ଼ି ପୋଡ଼ି, ବେଲଘର ଅଞ୍ଚଳରେ ପୋଲିସ ଇନଫର୍ମର୍ ସନ୍ଦେହରେ ଜଣଙ୍କୁ ହତ୍ୟା, ଗତବର୍ଷ ମେ ମାସରେ ସୁମେରୁବନ୍ଧ ପୂର୍ବତନ ସରପଞ୍ଚଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ହତ୍ୟା ସହ ବିଭିନ୍ନ ହିଂସା ମାମଲାରେ ସେ ସମ୍ପୃକ୍ତ ଥିଲା ଦାସୁରୁ। ଶେଷରେ ପୋଲିସ ଗୁଳିରେ ଏହି ଦୁର୍ଦ୍ଦାନ୍ତ ମାଓ କମାଣ୍ଡରର ମୃତ୍ୟୁ ଘଟିଛି। ଏଥିସହ କେକେବିଏନ୍ ଡିଭିଜନ୍ ଦୁର୍ବଳ ହୋଇ ଜିଲ୍ଲାରେ ମାଓ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।