ଆଗାମୀ ନିର୍ବାଚନ ପରେ କଂଗ୍ରେସ ଦର୍ଶକ ଗ୍ୟାଲେରୀରେ ବସିବ: ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ଆଗାମୀ ନିର୍ବାଚନ ପରେ କଂଗ୍ରେସ ଦର୍ଶକ ଗ୍ୟାଲେରୀରେ ବସିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀଙ୍କୁ, ବିଶେଷକରି କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ନିର୍ବାଚନ ପରେ କଂଗ୍ରେସ ଦର୍ଶକ ଗ୍ୟାଲେରୀରେ (ସଂସଦର) ବସିବ । ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବାରେ କଂଗ୍ରେସ ପୁରାପୁରି ବିଫଳ ହୋଇଛି। ଏହି ଦଳ ଅନ୍ୟ ବିରୋଧୀ ଦଳ ଗୁଡ଼ିକୁ ଆଗକୁ ଆସିବାକୁ ସୁଯୋଗ ଦେଉନି। ବିରୋଧୀ ଦଳର ଅବସ୍ଥା ପାଇଁ କଂଗ୍ରେସ ହିଁ ସବୁଠୁ ବେଶୀ ଦାୟୀ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ବିଶେଷ ଭାବେ ବିରୋଧୀଙ୍କ ନିଷ୍ପତ୍ତିକୁ  ପ୍ରଶଂସା କରୁଛି, ସେମାନେ ଦୀର୍ଘ ଦିନ ଧରି ସେଠାରେ (ବିରୋଧୀ ଗ୍ୟାଲେରୀ) ବସିବାକୁ ସ୍ଥିର କରିଛନ୍ତି। ଯେହେତୁ ଆପଣ ଏଠାରେ (ଶାସକ ଆସନରେ) ଅନେକ ଦଶକ ଧରି ବସିଥିଲେ, ଆହୁରି କିଛି ଦଶକ ସେଠାରେ ବସିବା ପାଇଁ ଆପଣଙ୍କୁ ଲୋକେ ନିଶ୍ଚିତ ଆଶୀର୍ବାଦ କରିବେ।
ମୋଦୀ କଟାକ୍ଷ କରି କହିଥିଲେ, “ଆପଣ (କଂଗ୍ରେସ) ଯେଉଁ ସ୍ଥିତିରେ ଅଛନ୍ତି, ତା’ଠାରୁ ଆହୁରି ଉଚ୍ଚକୁ ଯିବେ । ଆଗାମୀ ନିର୍ବାଚନ ପରେ ଆପଣ ଦର୍ଶକ ଗ୍ୟାଲେରୀରେ ବସିବେ।”
କାହାର ନାମ ନ ଧରି ମୋଦୀ କହିଛନ୍ତି, ବିରୋଧୀ ଦଳରେ ଅନେକ ଯୁବ ସାଂସଦ ଅଛନ୍ତି ଯେଉଁମାନେ ଉତ୍ସାହୀ ଓ ଆତ୍ମବିଶ୍ଵାସୀ, କିନ୍ତୁ ସେମାନଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ । କାରଣ ସେମାନଙ୍କ ଛବି ଦ୍ବାରା ଅନ୍ୟର ଛବି ଫିକା ପଡ଼ି ଯାଇପାରେ। ସେହି ଏକା ପ୍ରଡକ୍ଟ ବାରମ୍ବାର ଲଞ୍ଚ କରିବା କାରଣରୁ କଂଗ୍ରେସର ଦୋକାନରେ ତାଲା ପଡ଼ିଯାଇଛି। ମୋଦୀ କାହାର ନାଁ ନେଇନଥିଲେ ମଧ୍ୟ ତାଙ୍କର ଏହି ଇଶାରା ରାହୁଲ ଗାନ୍ଧୀଙ୍କ ଆଡ଼କୁ ଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ନେତାମାନଙ୍କ ମଧ୍ୟରୁ ଅନେକ ଜଣ ନିର୍ବାଚନ ଲଢ଼ିବା ସାହସ ହରାଇସାରିଛନ୍ତି । ଆଉ କେତେ ଜଣ ଗତଥର ଆସନ ବଦଳାଇଥିଲେ । ସେମାନେ ଏଥର ମଧ୍ୟ ଆସନ ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି।”