ଓଡ଼ିଆ ଭାଷା ସମ୍ମିଳନୀରେ ନୂଆ ପିଢ଼ି ସହ ଯୋଡ଼ି ହେଲେ ପୁରାତନ ଛାତ୍ର, ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ସିଦ୍ଧାର୍ଥଙ୍କୁ ପ୍ରଶଂସା କଲେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ସଚ୍ଚିଦାନନ୍ଦ ପଣ୍ଡା | News Room Odisha

ଓଡ଼ିଆ ଭାଷା ସମ୍ମିଳନୀରେ ନୂଆ ପିଢ଼ି ସହ ଯୋଡ଼ି ହେଲେ ପୁରାତନ ଛାତ୍ର, ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ସିଦ୍ଧାର୍ଥଙ୍କୁ ପ୍ରଶଂସା କଲେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ସଚ୍ଚିଦାନନ୍ଦ ପଣ୍ଡା

ଭୁବନେଶ୍ୱର – କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାର୍ଥ କୁମାର ସାହୁଙ୍କୁ “ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ”ରେ ପ୍ରୋତ୍ସାହିତ କରିଛନ୍ତି ସେହି ବିଦ୍ୟାଳର ପୁରାତନ ଛାତ୍ର। ଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଡକ୍ଟର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କ ଅଭିଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା ଜିନ୍ ଓ ମଲିକ୍ୟୁଲ୍ ସମ୍ବନ୍ଧରେ ଗବେଷଣା କରୁଥିବା ଜଣେ ପ୍ରସିଦ୍ଧ ବୈଜ୍ଞାନିକ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ସିଦ୍ଧାର୍ଥ ଓଡ଼ିଆ ଭାଷାକୁ ନେଇ ଚମତ୍କାର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅଭିଭାଷଣ ସମସ୍ତଙ୍କୁ ବିମୋହିତ କରିବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଏହି ଅଭିଭାଷଣ ସଚ୍ଚିଦାନନ୍ଦଙ୍କୁ ମଧ୍ୟ ଆକର୍ଷିତ କରିଥିଲା । ଭାଷଣ ଦେଉଥିବା ପିଲାଟି ଜଣେ ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଜାଣିବା ପରେ ସେ ଆନନ୍ଦ ଓ ଗର୍ବରେ ଆସି ସିଦ୍ଧାର୍ଥଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସିଦ୍ଧାର୍ଥଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅନେକ ବରିଷ୍ଠ ଅତିଥି ତଥା ପ୍ରଶାସନିକ ଅଧିକାରୀମାନେ ମଧ୍ଯ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କୁ ବେଶ୍ ପ୍ରଶଂସା କରିଥିଲେ। ନିଜ ବିଦ୍ୟାଳୟର ପରବର୍ତ୍ତୀ ପିଢ଼ିର କୃତିତ୍ବକୁ ନେଇ ବେଶ୍ ଗର୍ବିତ ବୋଲି ସେ କହିଛନ୍ତି। ସିଦ୍ଧାର୍ଥଙ୍କର ଓଡ଼ିଆ ଭାଷା ପ୍ରତି ରୁଚି ଏବଂ ଓଡ଼ିଆ କହିବା ଶୈଳୀକୁ ନେଇ ସେ ପ୍ରଶଂସା କରିବା ସହ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିଲେ।ସିଦ୍ଧାର୍ଥଙ୍କ ବାପା ପେଶାରେ ଜଣେ ଆଇସକ୍ରିମ ବିକ୍ରେତା ହୋଇଥିବାବେଳେ, ପୁଅର ଏହି ସଫଳତା ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି। ଭବିଷ୍ୟତରେ ସିଦ୍ଧାର୍ଥ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଆଶା ରଖିଛନ୍ତି।