ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ | News Room Odisha

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ

ବଲାଙ୍ଗୀର – ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟାଳୟର ଅମିନ ନିର୍ମଳେନ୍ଦୁ କବି । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ନିଜର ଜମି ମାପ ପାଇଁ ଅମିନଙ୍କୁ ଅନୁରୋଧ କରିଥିଲେ ଜଣେ ବ୍ୟକ୍ତି । ଗତବର୍ଷ ଜୁଲାଇରେ ଜମି ମାପ ପାଇଁ ଅମିନଙ୍କୁ ନିର୍ଦ୍ଦେଶ ଦେବାକୁ ତହସିଲଦାରଙ୍କୁ ଆବେଦନ କରିଥିଲେ ଜମି ମାଲିକ । ସଇଁତଳା ତହସିଲଦାର ଏ ବର୍ଷ ଜାନୁଆରୀ ୧୬ ତାରିଖରେ ଏ ସମ୍ପର୍କିତ ଆଦେଶ ଜାରି କରିଥିଲେ । ଏହା ସତ୍ତ୍ବେ ଅମିନ ନିର୍ମଳେନ୍ଦୁ କବି ଜମି ମାପ ବିଳମ୍ବିତ କରିଥିଲେ ।

ଏ ନେଇ ସଂପୃକ୍ତ ଜମି ମାଲିକ ଅମିନଙ୍କୁ ପଚାରିବାରୁ ସେ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିରାଶ ଜମି ମାଲିକ ଶେଷରେ ଭିଜିଲାନ୍ସଠାରେ ଫେରାଦ ହୋଇଥିଲେ। ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅମିନ କବିଙ୍କୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା । କବିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।