ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ପଦ୍ମବେଶ | News Room Odisha

ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ପଦ୍ମବେଶ

ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ପଦ୍ମବେଶ:-

“ମନୋହର ସାଧୁ ପାଇଁ ପଦ୍ମ ବେଶ ତୋର |
ଏକ ମାତ୍ର ବେଶ ନାଉ ପୂର୍ଣ୍ଣ ରାତ୍ରଭର || ”

ଶ୍ରୀ ଜଗନ୍ନାଥ ସକଳ ରୂପ ଅରୂପ ର ଆଧାର।ତାଙ୍କର ବେଶ ମଧ୍ୟ ବହୁଳ ତଥା ବିଭିନ୍ନତା ରେ ପରିପୂର୍ଣ୍ଣ।ପ୍ରାୟତଃ ୩ଶହ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହେଉଥିବାର ଜଣାଯାଏ।ଏହି ବେଶ ଭକ୍ତିଭାବ ରେ ଆଧାରିତ।
ପଦ୍ମ ହେଉଛି ସକଳ ଜ୍ଞାନ ,ଧ୍ୟାନ,ସାଧନା, କର୍ମ,ଭକ୍ତି,ଭାବ,ବୈରାଗ୍ୟ ଓ ପବିତ୍ରତା ର ପ୍ରତୀକ।ମହାପ୍ରଭୁ ସ୍ୱୟଂ ସକଳ ହୃଦୟକମଳ ର ପ୍ରକାଶକ ତଥା ପ୍ରସ୍ଫୁଟକ।ଏହି ପଦ୍ମବେଶ ସମ୍ବନ୍ଧ ରେ ଲୋକ ମୁଖରେ ଏକ ସୁନ୍ଦର କିମ୍ବଦନ୍ତୀ ଟିଏ ପ୍ରଚଳିତ ହୋଇଆସୁଛି। ତାହା ହେଉଛି-
ଓଡ଼ିଶା ରୁ ଶହ ଶହ ମାଇଲ ଦୂର ରେ ନିବାସ କରୁଥିବା ହିନ୍ଦୀ ଭାସୀ ସାଧୁ ମନୋହର ଦାସ ଏକଦା ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ମନସ୍ଥ କଲେ।ପ୍ରଭୁ ଙ୍କ ଦର୍ଶନ ପିପାସା ମନ ମଧ୍ୟରେ ଥିବାରୁ ମହାତ୍ମା ଜଣକ ଅନେକ ସମୟ ଧରି ଅନେକ ପାହାଡ଼ ,ପର୍ବତ,ଜଙ୍ଗଲ,ନଦୀ ଇତ୍ୟାଦି ଅତିକ୍ରମ କରି ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥାନ୍ତି।ଏହି ଯାତ୍ରା ରେ ଯେଉଁ ସ୍ଥାନ ରେ ରାତ୍ରି ହୁଏ ସେହିସ୍ଥାନ ରେ ନିକଟବର୍ତ୍ତୀ କୌଣସି ମଠ ବା ମନ୍ଦିର ରେ ସାଧୁ ଜଣକ ରାତ୍ରି ଯାପନ କରି ପୁନଶ୍ଚ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ନିଜର ଯାତ୍ରା କୁ ଆରମ୍ଭ କରିଥାନ୍ତି।ଏହି ପଥ ରେ ସାଧୁ ଙ୍କୁ ଭୀଷଣ ଶୋଷ ହେଲା।ନିକଟବର୍ତ୍ତୀ କୌଣସି ଗ୍ରାମ ଆଦି ନ ଥିବାରୁ ସେ ଜଳ ଉଦ୍ଧେଶ୍ୟରେ ଆତୁର ହୋଇ ପଥ ଅତିକ୍ରମ କରୁଥାନ୍ତି।ହଠାତ ଏକ ସୁନ୍ଦର ପୁଷ୍କରିଣୀ ଟିଏ ତାଙ୍କର ଦୃଷ୍ଟି ଗୋଚର ହେଲା।ସେ ତୁରନ୍ତ ସେଠାକୁ ଯାଇ ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇଲେ ଏବଂ ଅତ୍ୟନ୍ତ ତୃପ୍ତ ହେଲେ।ହଠାତ ପୁଷ୍କରିଣୀ ରେ ଫୁଟିଥିବା ଅନେକ ଗୁଡିଏ ପଦ୍ମ ଫୁଲ ଉପରେ ତାଙ୍କର ନଜର ପଡିଲା।ଏହା ଦେଖି ସେ ଅତ୍ୟନ୍ତ ଆଚମ୍ବିତ ଓ ଆନନ୍ଦିତ ହୋଇଗଲେ।ଶୀତ ଋତୁ ରେ ଏହା ଦୁର୍ଲ୍ଲଭ ହୋଇଥିବାରୁ ଅତ୍ୟନ୍ତ କଷ୍ଟ କରି ମନୋହରଜୀ ସମସ୍ତ ପୁଷ୍ପ କୁ ତୋଳି ଏକତ୍ର କଲେ ଏବଂ ନିଜର ମଇଳା ଗାମୁଛାରେ ତାହାକୁ ବାନ୍ଧି କାଳ ବିଳମ୍ବ ନ କରି ଅବିରତ ଭାବରେ କୋଣସି ସ୍ଥାନ ରେ ବିଶ୍ରାମ ନ କରି କ୍ଷେତ୍ର ନିମନ୍ତେ ପୁନଶ୍ଚ ଅଗ୍ରସର ହେଲେ।ପରିଶେଷ ରେ ସାଧୁ ଜଣକ ମାଘ ମାସ ଅମାବାସ୍ୟା ଦିନ ଶ୍ରୀକ୍ଷେତ୍ର ରେ ପହଂଚି ସିଧାସଳଖ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କଲେ।କାଳ ବିଳମ୍ବ ନ କରି ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରି ଭାବ ବିହ୍ଵଳିତ ହୋଇଗଲେ।ତତ୍ପଶ୍ଚାତ ଜଗମୋହରେ ଥିବା ଜନୈକ ସେବକ ଙ୍କୁ ପୁଷ୍ପ ଗଣ୍ଠିଲି ଟିକୁ ଦେଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ଅନୁରୋଧ କରିଥିଲେ।ସାଧୁ ଙ୍କ ର ମଇଳା ଗାମୁଛା ଓ ଫୁଲ ଗୁଡିକ ଶୁଖିଯାଇଥିବା ଫୁଲ କୁ ଦେଖି ଅତ୍ୟନ୍ତ କଟୁ ଶବ୍ଦ ରେ ଭର୍ତ୍ସନା କରି ମହାପ୍ରଭୁ ପ୍ରତିଦିନ ସଦ୍ୟ ପ୍ରସ୍ଫୁଟିତ ଫୁଲ ତୁଳସୀ ଲଗାଉଥିବା କଥା କହିଲେ ଏବଂ ସେହି ପୁଷ୍ପ ତୁଳସୀ ତୁଳନା ରେ ଏହି ଶୁଖିଯାଇଥିବା ପଦ୍ମ ଫୁଲ ଗୁଡିକ ତାହା ତୁଳନାରେ ଅତ୍ୟନ୍ତ ତୁଚ୍ଛ ବୋଲି ଦର୍ଶାଇ ସେଗୁଡିକୁ ଫୋପାଡ଼ି ଦେଇଥିଲେ।ଏହା ଦେଖି ମନୋହର ଦାସଙ୍କର ମନ ଭିତରେ ଅତ୍ୟନ୍ତ ଦୁଃଖ ଜାତ ହେଲା।ସେ ସେହି ପତିତ ପୁଷ୍ପ ଗୁଡିକ ଏକାଠି କରି ଶ୍ରୀମନ୍ଦିର ରୁ ନିରାଶ ଓ ମର୍ମାହତ ହୋଇ ଫେରିଗଲେ ଓ ବଡ଼ଦାଣ୍ଡରେ ଥିବା ବଡ଼ଛତା ମଠ ନିକଟରେ ପ୍ରଭୁ ଙ୍କୁ ସ୍ମରଣ କରି ମୂର୍ଛିତ ହୋଇ ପଡିଗଲେ।ଭକ୍ତବତ୍ସଳ ଭଗବାନ ପ୍ରଭୁ ଭାବଗ୍ରାହୀ ସନ୍ଥ ମନୋହର ଙ୍କ ମନର ଭାବ କୁ ବୁଝିପାରିଲେ।ସଂଗେ ସଂଗେ ଗଜପତି ମହାରାଜ ଙ୍କୁ ସ୍ୱପ୍ନାଦେଶ ହେଲା ଯେ ,”ହେ ରାଜା,ମୋ’ର ଭକ୍ତ ସେବକ ମାନଙ୍କ ଦ୍ୱାରା ଅପମାନିତ ହୋଇ ସିଂହଦ୍ୱାର ନିକଟରେ ମୂର୍ଛିତ ଅବସ୍ଥା ରେ ପଡିଛି।ତୁରନ୍ତ ଯାଇ ସେ ଆଣିଥିବା ପଦ୍ମ ପୁଷ୍ପ ଗୁଡିକୁ ନେଇଆସ ,ଏବଂ ସେହି ଫୁଲ ରେ ହିଁ ଆଜି ରାତ୍ର ରେ ମୋର ବଡ଼ସିଂହାର ବେଶ ହେଵ।ମୋର ଭକ୍ତ କୁ ପଦ୍ମ ଚାଉଳ ରେ କ୍ଷୀରି ନିର୍ମିତ କରାଇ ମୋ ନିକଟ ରେ ଭୋଗ କରିବା ସହ ଭକ୍ତ କୁ ସେବନ କରାଇ ତାହାର ପ୍ରାଣ ରକ୍ଷା କର।ଏହି ଉତ୍ତାରୁ ମହାରାଜ ସ୍ୱପ୍ନଦିଷ୍ଟ ହୋଇ ସଙ୍ଗେସଙ୍ଗେ ସିଂହଦ୍ୱାର ନିକଟ କୁ ବିଜେ କଲେ।ମହାପ୍ରଭୁ ଙ୍କ ନିର୍ଦେଶ କ୍ରମେ ପଦ୍ମ ଫୁଲ ଗୁଡିକ ତଳେ ପଡିଥିବା ସତ୍ୱେ ସେବକ ମାନଙ୍କୁ ଡକାଇ କେବଳ ସେହି ପୁଷ୍ପ ରେ ରାତ୍ର ବଡ଼ସିଂହାର ବେଶ ସମୟ ରେ ପ୍ରଭୁ ଙ୍କୁ ଭୂଷିତ କରିବା ନିମନ୍ତେ ନିର୍ଦେଶ ଦେଲେ।ଯେଉଁ ଫୁଲ କୁ ଅପବିତ୍ର ଓ ଶୁଖିଲା କହି ଫୋପାଡ଼ି ଦିଆଯାଇଥିଲା ତାହା ପ୍ରଭୁ ଙ୍କ ଅଙ୍ଗ ସ୍ପର୍ଶ ପାଇବାମାତ୍ରେ ସଦ୍ୟ ପ୍ରସ୍ଫୁଟିତ ଫୁଲ ପରି ସତେଜ ହୋଇଉଠିଲା।ଏହି ଦିବ୍ୟ ଲୀଳା କୁ ମହାରାଜ ଏବଂ ସେବକ ମାନେ ଦର୍ଶନ କରି ଆନନ୍ଦିତ ହେଲେ ଏବଂ ଭକ୍ତ ମନୋହର ଙ୍କ ନିଷ୍ଠା କୁ ଜାଣି ପାରି ତାଙ୍କୁ ସସମ୍ମାନେ ରତ୍ନସିଂହାସନ ନିକଟକୁ ପଛଟିନେଲେ।ମନୋହର ଦାସ ଏହି ଦିବ୍ୟ ବେଶ କୁ ଦର୍ଶନ କରି ଅତ୍ୟନ୍ତ ଭାବ ବିହ୍ଵଳିତ ହୋଇ ନିଜକୁ କୃତାର୍ଥ ମାନେକଲେ।ଏବଂ ସେବକ ମାନଙ୍କ ଦ୍ୱାରା ପ୍ରଦତ୍ତ କ୍ଷୀରି ମହାପ୍ରସାଦ ପାଇ ଆନନ୍ଦିତ ହେଲେ ।

ଭକ୍ତ ପ୍ରଭୁଙ୍କୁ ଲୀଳା ଦେଖି ଭାବରେ ଗାଇଉଠିଥିଲେ :-
“ମୁଖ କମଳ ରେ ନେତ୍ର କମଳ
କମଳ ଉପରେ କମଳ ର ଚୂଳ
କଳାଠୁ ଚହଟେ ବାସ କମଳ
ବନେ ଖେଳୁଛି ହଂସ କମଳ | ”

ଉକ୍ତ କିମ୍ବଦନ୍ତୀ ଅନୁଯାୟୀ ମହାପ୍ରଭୁ ଙ୍କୁ ମାଘ ଶୁକ୍ଳ ପଞ୍ଚମୀ ପୂର୍ବବର୍ତ୍ତୀ ଶନିବାର କିମ୍ବା ବୁଧବାର ଦିନ ଏହି ବେଶ ରେ ଭୂଷିତ କରାଯାଏ।ପଦ୍ମ ପୁଷ୍ପ ରେ ପ୍ରଭୁ ଙ୍କୁ ସମ୍ପୂର୍ଣ ଭାବରେ ଭୂଷିତ କରିବାର ଅଭିଳାଷ ଥିବା ସତ୍ୱେ ଶୀତଋତୁ କାରଣରୁ ଯଥେଷ୍ଟ ପୁଷ୍ପ ମିଳି ପାରିନାହିଁ।ଏହାର ବିକଳ୍ପ ଭାବରେ ସୋଲ ,ଜରି,କଇଁଥ ଅଠା ଏବଂ ରଙ୍ଗ ଆଦି ଦ୍ୱାରା ନିର୍ମିତ ପଦ୍ମମୁଖ,ଏହା ସହିତ ସଂଯୁକ୍ତ ହୋଇଥିବା ଚୁଳ ,ପଦ୍ମନାଡ଼, ହଂସ ଓ ଦୁଇ ଭୁଜ ରେ ଦୁଇଟି ଲେଖାଏଁ ପଦ୍ମ କଢି ଲାଗି କରାଯିବା ସହ ଯଥା ସମ୍ଭବ ପଦ୍ମ ପୁଷ୍ପ ରେ ପ୍ରଭୁ ଙ୍କୁ ଭୂଷିତ କରାଯାଉଛି।ସୂଚନା ଯୋଗ୍ୟ ଯେ ଏହି ବେଶ ଓ ଉପରୋକ୍ତ ବେଶ ରେ ଭୋଗ ହେଉଥିବା କ୍ଷୀରି,ଅମାଲୁ ର ସମସ୍ତ ଖର୍ଚ୍ଚ ବଡ଼ଛତା ମଠ ଏଯାବତ୍ ବହନ କରୁଛି।

ବଡ଼ସିଂହାର ବେଶ ବ୍ୟତୀତ ଏହି ବେଶ ମହାପ୍ରଭୁଙ୍କର ଏକମାତ୍ର ବେଶ,ଯେଉଁ ବେଶ ରେ କି ମହାପ୍ରଭୁ ଶୟନ କରନ୍ତି।ଉକ୍ତ ଦିନ ବଡ଼ସିଂହାର ବେଶ ହୁଏନାହିଁ।ଏହି ପଦ୍ମବେଶ ସମ୍ପୂର୍ଣ୍ଣ ହେବାପରେ ବଡ଼ସିଂହାର ଭୋଗ ରେ ହିଁ ଉକ୍ତ କ୍ଷୀରି ଏବଂ ଅମାଲୁ ଲାଗିଥାଏ।ତତ୍ ପଶ୍ଚାତ ଏହି ବେଶ ରେ ହିଁ ଦୈନନ୍ଦିନ ରୀତି ରେ ପହୁଡ଼ ହୋଇଥାଏ।ପରଦିନ ସକାଳୁ ମଙ୍ଗଳ ଆଳତୀ ପରେ ଭକ୍ତ ମାନେ କିଛି ସମୟ ପର୍ଯ୍ୟନ୍ତ ଏହି ବେଶ ରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥାନ୍ତି।