ପରଲୋକରେ ଲୋକପ୍ରିୟ ଜନନେତ୍ରୀ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓ | News Room Odisha

ପରଲୋକରେ ଲୋକପ୍ରିୟ ଜନନେତ୍ରୀ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓ

ଚେନ୍ନାଇ – ପରଲୋକରେ ଖଲ୍ଲିକୋଟ ରାଣୀ । ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟିକା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ଦୀର୍ଘ ବର୍ଷ ଧରି ଗଞ୍ଜାମ ରାଜନୀତିରେ ଜଣେ ଟାଣୁଆ ରାଜନେତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିଥିଲେ ଭି. ସୁଜ୍ଞାନ ଦେଓ । ଖଲ୍ଲିକୋଟ ରାଜ ପରିବାର ସଦସ୍ୟା ଭି.ସୁଜ୍ଞାନ ଦେଓ ୧୦ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦୀର୍ଘ ୬୦ ବର୍ଷ ଧରି ରାଜନୀତି ସହ ଯୋଡ଼ି ହୋଇ ସେ ଜନସେବାରେ ନିୟୋଜିତ ଥିଲେ । । ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୮ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚିତ ହୋଇଥିଲେ ରାଣୀ ସାହେବା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଖଲ୍ଲିକୋଟ ରାଜପରିବାରର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୂ ଓ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପତ୍ନୀ ହେଉଛନ୍ତି ଭି. ସୁଜ୍ଞାନ ଦେଓ। ଖଲ୍ଲିକୋଟ, ଛତ୍ରପୁର, ହିଞ୍ଜିଳି, କବିସୂର୍ଯ୍ୟନଗରରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଆଦି କ୍ଷେତ୍ରରେ ରାଣୀ ସାହେବଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଗତ କିଛି ବର୍ଷ ହେବ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ଲୋକଙ୍କ ସହ ଯୋଗାଯୋଗରେ ରହୁଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସଂଧ୍ୟାରେ ଚେନ୍ନାଇ ଯାଇ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେଠାରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ,ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଚେନ୍ନାଇ ଯାଇଥିଲେ ।