ଶ୍ରୀ ମହାପ୍ରସାଦ, ଅନ୍ନବ୍ରହ୍ମ, ଅଭଡ଼ା କୁ କାହିଁକି ଆସନ ଉପରେ ବସିକି ଖାଇବାକୁ ବାରଣ କରାଯାଇଛି ? | News Room Odisha

ଶ୍ରୀ ମହାପ୍ରସାଦ, ଅନ୍ନବ୍ରହ୍ମ, ଅଭଡ଼ା କୁ କାହିଁକି ଆସନ ଉପରେ ବସିକି ଖାଇବାକୁ ବାରଣ କରାଯାଇଛି ?

ଶ୍ରୀ ମହାପ୍ରସାଦର ଅନ୍ୟ ନାମ ହେଉଛି ଅଭଡ଼ା । ନ-ବାଢ଼ିକି କୁଡ଼ିଆରେ ଖାଇବାର ବିଧି ଥିବାରୁ ତାକୁ ଅଭଡ଼ା କୁହାଯାଏ । ଶ୍ରୀ ଜଗନ୍ନାଥ ସଂସ୍କୃତି କହୁଛନ୍ତି – ଶ୍ରୀ ଜଗନ୍ନାଥଙ୍କ ପାଖରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ । କେହି ଛୁଆଁ ନୁହେଁ, କେହି ଅଛୁଆଁ ନୁହେଁ – ସମସ୍ତେ ସମାନ । ଅଭଡ଼ା ଖାଇଲା ବେଳେ, ଆନନ୍ଦରେ ତଳେ ବସି ସମସ୍ତେ ମିଳିମିଶି ଖାଇଲେ ଅଭଡ଼ାକୁ ସମ୍ମାନ ଦିଆଯାଏ । ଆସନରେ ବସି ଖାଇଲେ, ଆସନ ହୋଇଯାଏ ଉଚ୍ଚ, ଅଭଡ଼ା ହୋଇଯାଏ ନିଚ, ଏହାଦ୍ଵାରା ଅଭଡ଼ାକୁ ଅସମ୍ମାନ କରାଯାଏ ।

ଶ୍ରୀ ଜଗନ୍ନାଥ, ଶ୍ରୀ ନୀଳଚକ୍ର ଓ ଶ୍ରୀ ମହାପ୍ରସାଦ ଏହି ୩ ଜଣ ହେଉଛନ୍ତି ପ୍ରଭୁଙ୍କର ଅଙ୍ଗ ବିଶେଷ । ଏଥିରେ ଭେଦ ଭାବ ସୃଷ୍ଟି କରୁଥିବା ଲୋକ ଅଜ୍ଞତାର ପରିଚୟ ଦେଇଥାଏ ।

ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଓ ନୀଳ ଚକ୍ରର ବାନାକୁ ଚାହିଁବାରେ ଯେତିକି ପୁଣ୍ୟ ଥାଏ, ତା’ଠାରୁ ବେଶି ପୁଣ୍ୟ ମିଳେ ମହାପ୍ରସାଦ ଖାଇବାରେ । କାରଣ ଏହା ଗଙ୍ଗାଜଳ ପରି ବାହାର ଭିତର ସବୁକୁ ପବିତ୍ର କରିଦିଏ । ଶ୍ରୀ ମହାପ୍ରସାଦକୁ ଅସମ୍ମାନ କରିବା ଅର୍ଥ ହେଉଛି ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ କରିବା । ଯେଉଁ ଅନ୍ନକୁ ରାନ୍ଧିବା ପାଇଁ ମାଁ’ ଲକ୍ଷ୍ମୀ ରୋଷଶାଳାରେ ବିଜେ କରି ରନ୍ଧନ କାର୍ଯ୍ୟର ଦାୟିତ୍ଵ ନେଇ ଥାଆନ୍ତି । ଅନ୍ନ ଜଗନ୍ନାଥଙ୍କୁ ଭୋଗ ଦେଲା ପରେ ତାହା ପ୍ରସାଦରେ ପରିଣତ ହୁଏ ଓ ଯେଉଁ ପ୍ରସାଦ ମାଁ’ ବିମଳାଙ୍କ ପାଖରେ ଭୋଗ ହୁଏ ତାହା ମହାପ୍ରସାଦ ବା କୈବଲ୍ୟରେ ପରିଣତ ହୁଏ । ସେ କୈବଲ୍ୟକୁ ସାମାନ୍ୟ ଅନ୍ନ କହିବାର କାହାର କ୍ଷମତା ଅଛି ?

ଏହି ମହାପ୍ରସାଦକୁ ଆଘ୍ରାଣ କରିବା ପାଇଁ ସ୍ୱର୍ଗର ଦେବତାମାନେ ମଧ୍ୟ ବ୍ୟାକୁଳ ହୋଇ ଉଠନ୍ତି। କଥାରେ ଅଛି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଶିବ ଏକା ଏକା ପାର୍ବତୀଙ୍କୁ ନ ଦେଇ ଥିବାରୁ ପାର୍ବତୀ ତପସ୍ୟାରେ ବସିଥିଲେ । ମାଁ’ ଲକ୍ଷ୍ମୀଙ୍କର ଦୁଆର ଓଳାଇ ପ୍ରତିଦିନ ଚାଲି ଆସୁଥିଲେ । ମାଁ’ ଲକ୍ଷ୍ମୀ ଜାଣିପାରି ତାଙ୍କୁ ସମ୍ମାନର ସହ ନେଇ ନିଜେ ମହାପ୍ରସାଦ ଖୁଆଇଥିଲେ ।
ଶ୍ରୀ ମହାପ୍ରସାଦକୁ ପିତୃ ଶ୍ରାଦ୍ଧରେ ଅର୍ପଣ କଲେ, ଦୁଃଖୀ, ଦରିଦ୍ରକୁ ବାଣ୍ଟିଲେ ପିତୃପୁରୁଷମାନେ ମୁକ୍ତି ପାଇଥାଆନ୍ତି । ଶ୍ରାଦ୍ଧ ଦିନ ପିତୃପୁରୁଷ ବଡ଼ ଆଶ୍ରାକରି ଆସିଥାନ୍ତି ମହାପ୍ରସାଦ କାଣିଚାଏ ପାଇବେ ବୋଲି । ସବୁ ଶୁଭ କାର୍ଯ୍ୟରେ ମହାପ୍ରସାଦକୁ ଛୁଇଁବାକୁ ପଡ଼ିଥାଏ । ପ୍ରତିଦିନ ଯେଉଁମାନେ ମହାପ୍ରସାଦ ସେବନ କରନ୍ତି ସେମାନଙ୍କ ଜୀବନ ଧନ୍ୟ ହୋଇଥାଏ ।

ମହାପ୍ରସାଦକୁ ସୁଖାଇ ତାକୁ ନିର୍ମାଲ୍ୟ କରି କନା ମୁଣିରେ ପୁରାଇ ବିକ୍ରିକରାଯାଏ । ଏଥିପାଇଁ ଶ୍ରୀମନ୍ଦିରରେ ନିର୍ମାଲ୍ୟ ଖଳା ରହିଛି । ସେହି ଖଳାକୁ ଦେଖିବାପାଇଁ ଭକ୍ତମାନେ ସେଠାକୁ ଯାଇ ଦର୍ଶନ କରିଥାନ୍ତି । ମୃତ୍ୟୁ ସମୟ ଉପସ୍ଥିତ ହେଲେ ନିର୍ମାଲ୍ୟ ପାଣି ଟିକିଏ ପାଟିରେ ଦେଲେ ଆତ୍ମାର ସଦ୍‌ଗତି ହୁଏ, ଏ ବିଶ୍ବାସ ପ୍ରତ୍ୟେକ ହିନ୍ଦୁମାନଙ୍କର ରହିଛି ।

ତେଣୁ ଶାସ୍ତ୍ର କୁହେ – ମହାପ୍ରସାଦ ‘“ପ୍ରାପ୍ତ ମାତ୍ରେଣ ଭୋକ୍ତବ୍ୟ’” । ମହାପ୍ରସାଦର ନାମ ଶୁଣିବା ମାତ୍ରେ ଯେଉଁମାନଙ୍କର ଲାଳସା ଜାଗ୍ରତ ହୁଏ ସେହିମାନେ ଶ୍ରୀ ଜଗନ୍ନାଥଙ୍କର କରୁଣାର ପାତ୍ର ହୋଇଥାନ୍ତି । ମହାପ୍ରସାଦକୁ “ବାସୀ ” ବୋଲି କହିଲେ ମନୁଷ୍ୟ ପାପ ଗ୍ରସ୍ଥ ହୁଏ । ମହାପ୍ରସାଦକୁ ନିନ୍ଦାକଲେ ମନୁଷ୍ୟ ମହାନରକରେ ପତିତ ହୁଏ । ପ୍ରତିଦିନ ନିର୍ମାଲ୍ୟ ସେବନ କରିବା ପରେ ବୈଷ୍ଣବମାନେ ଅନ୍ନ ଗ୍ରହଣ କରିଥାନ୍ତି, କଥାରେ ଅଛି-

ମହାପ୍ରସାଦ ବାଣ୍ଟିଣ ଖାଇବ,
ଶେଷେ ମୁଣ୍ଡେ ହାତ ବୁଲାଇବ ||