କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ; ଏକ ମାସ ପାଇଁ ୧୪୪ ଧାରା ଲାଗୁ | News Room Odisha

କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ; ଏକ ମାସ ପାଇଁ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର (ଫେବୃଆରୀ ୧୩) ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଛନ୍ତି ‌। କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିଛି। ସୂଚନାନୁସାରେ, କୃଷକମାନେ ପଞ୍ଜାବରୁ ଟ୍ରାକ୍ଟର ଏବଂ ଟ୍ରଲି ସହ ବହୁ ସଂଖ୍ୟାରେ କୃଷକମା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ହରିୟାଣାରେ ବି ଏହି ଚାଷୀ ମାନଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତି ଚାଲିଛି।

ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଦିଲ୍ଲୀର ସମସ୍ତ ସୀମାରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ ହୋଇଛି। କୃଷକମାନଙ୍କୁ ଅଟକାଇବା ପାଇଁ ଦିଲ୍ଲୀର ସବୁ ସୀମାରେ କଂକ୍ରିଟ ବ୍ଲକ୍ ସହ ରାସ୍ତାରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି । ଏହାଛଡ଼ା ଚଣ୍ଡିଗଡ଼ରେ ଦୁଇମାସ ପାଇଁ ନିଷେଧାଦେଶ ଲାଗୁ କରାଯାଇଛି। ହରିୟାଣାରେ ଅମ୍ବାଲା, ସିର୍ସା, ରୋହତକ, ସୋନିପତ, ଝାଜର, ଜିନ୍ଦ୍, କୁରୁକ୍ଷେତ୍ର, ଆଦି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୃଷକ ନେତାଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।

କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଦୁଇଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି। ଅମ୍ବାଲା ନିକଟ ଶମ୍ଭୁ ସୀମାରେ ପଞ୍ଜାବ ସୀମାକୁ ସିଲ୍ କରାଯାଇଛି। ଜିନ୍ଦ ଏବଂ ଫତେହାବାଦରେ ପୋଲିସ ଓ ପ୍ରଶାସନ ହାଇ ଆଲର୍ଟରେ ରହିଛି। କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ସୋସିଆଲ ମିଡିଆ ଉପରେ ବା କଡ଼ା ନଜର ରଖାଯାଇଛି।

କେନ୍ଦ୍ର ସରକାର କୃଷକ ମାନଙ୍କୁ ଆଜି ଏକ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି। ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ସହ ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବର ଅଧିକାଂଶ କୃଷକ ସଂଗଠନ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଆଇନଗତ ଗ୍ୟାରେଣ୍ଟି ଦେବାକୁ ଦାବି କରୁଛନ୍ତି।