ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଶୀଘ୍ର: ବନ ବିଭାଗର ପ୍ରସ୍ତୁତି | News Room Odisha

ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଶୀଘ୍ର: ବନ ବିଭାଗର ପ୍ରସ୍ତୁତି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗର ବେଳାଭୂମିରେ ଶୀଘ୍ର ପ୍ରକୃତିର ଏକ ନିଆରା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ତାହା ହେଉଛି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ସମୂହ ଅଣ୍ଡାଦାନ ଦୃଶ୍ୟ। ଶୀଘ୍ର ଏହି ଆଗନ୍ତୁକ ଅତିଥି ଜୀବମାନେ ହଜାର ହଜାର ସଂଖ୍ୟାରେ ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ କରିବେ। ଗତ ନଭେମ୍ବର- ଡିସେମ୍ବର ମାସରେ ସମୁଦ୍ର ମଧ୍ୟରେ ଏମାନଙ୍କର ମିଳନ ପର୍ବ ସମ୍ପନ୍ନ ହୋଇଥିଲା। ଏବେ ସେମାନଙ୍କ ଜୀବନର ଆଉ ଏକ ପର୍ଯ୍ୟାୟ ଉପନୀତ। ଏବେ ଗଣ ଅଣ୍ଡାଦାନ ପରେ ପ୍ରାୟ ଦେଢ଼ ମାସ ପରେ ସେଥିରୁ କୁନି ଶାବକ ଅଲିଭ୍ ରିଡଲେ ଫୁଟି ବାହାରି ସମୁଦ୍ରମୁହାଁ ହେବେ।

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ବେଳାଭୂମିର ପ୍ରୟାଗୀ ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ବନ ବିଭାଗ ଏହି ବିରଳ ଅତିଥିମାନେ ଯେପରି ସୁରୁଖୁରୁରେ ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯିବେ ସେଥିପାଇଁ ବନ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଅଣ୍ଡାଗୁଡିକର ସୁରକ୍ଷା ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ବଟେଶ୍ବର ଠାରୁ ପୋଡମପେଟା ଯାଏଁ ସମୁଦ୍ରତଟ ବାଲୁକା ଶଯ୍ୟା ସଫେଇ କରାଯାଇଛି ଯାହା ଏହି କଇଁଛମାନଙ୍କୁ ସାମୂହିକ ଅଣ୍ଡାଦାନ ପାଇଁ ଆକୃଷ୍ଟ କରୁଛି। ଅଣ୍ଡାଦାନ ବେଳେ ଯେପରି ବାଧା ନ‍ହୁଏ, ପରବର୍ତ୍ତୀ ସମୟରେ ଅଣ୍ଡାଗୁଡିକୁ ସାଧାରଣ ଲୋକ ଓ ବୁଲା କୁକୁର ଭଳି ଜୀବଜନ୍ତୁଙ୍କ ଦାଉରୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍ ତାର ଜାଲି ବିଛାଯାଇଛି। ଉକ୍ତ ଅଞ୍ଚଳରେ ଟ୍ରଲର୍ ଜରିଆରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। କଇଁଛ ଓ ସେମାନଙ୍କ ଅଣ୍ଡାଗୁଡିକର ସୁରକ୍ଷା ନିମନ୍ତେ ଓ୍ବାଚ୍ ଟାଓ୍ବାର୍ ସ୍ଥାପନ କରିଛି ବନ ବିଭାଗ। ସମୁଦ୍ରରେ ବୋଟ୍ ଦ୍ବାରା ପାଟ୍ରୋଲିଂ ମଧ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍। ଏଥିରେ ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ଦିଗରେ କାର୍ଯ୍ୟରତ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ସହାୟକ ସାଜିଛନ୍ତି।

ବଟେଶ୍ବର ଠାରୁ ପୋଡମପେଟା ଯାଏଁ ବେଳାଭୂମିକୁ ୫୦ଟି ବିଭାଗ କରାଯାଇ ଗ୍ରାମବାସୀ ଓ ବନ ବିଭାଗମାନେ ଜଗି ରହିବେ। ଅଣ୍ଡାଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ୧୧ଟି କୃତ୍ରିମ ବସା ସ୍ଥାପନ କରାଯାଇଛି। ମୋଟାମୋଟି ଭାବେ ଏହି ବିରଳ ସାମୁଦ୍ରିକ କଇଁଛ ତଥା ମାଆ ଅଲିଭ୍ ରିଡଲେଙ୍କ ସ୍ବାଗତ ସତ୍କାର ସକାଶେ ବନ ବିଭାଗ ସମ୍ପୂ‍ର୍ଣ୍ଣ ପ୍ରସ୍ତୁତ କରିଛି।