କେନ୍ଦ୍ର ସହ ଆଲୋଚନା ବିଫଳ, ଆଜି କୃଷକଙ୍କ 'ଦିଲ୍ଲୀ ଚଲୋ' ଡ଼ାକରା, ସୁରକ୍ଷା କଡ଼ାକଡ଼ି | News Room Odisha

କେନ୍ଦ୍ର ସହ ଆଲୋଚନା ବିଫଳ, ଆଜି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡ଼ାକରା, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଫସଲର‌ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ୨୦୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । କୃଷକମାନେ ଟ୍ରାକ୍ଟର ଓ ଟ୍ରଲି ସହ ଦିଲ୍ଲୀ ଆଡେ ମୁହାଁଉଛନ୍ତି । ଏଥିପାଇଁ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସବୁ ପ୍ରବେଶ ପଥ ସିଲ୍ କରାଯିବା ସହ ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି ।

ଆଜିର ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ କୃଷକ ନେତାଙ୍କୁ ସୋମବାର ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କେନ୍ଦ୍ର ସରକାର । ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାର କୌଣସି ନିଷ୍କର୍ସ ବାହାରିନଥିଲା। ତେଣୁ କୃଷକମାନେ ସେମାନଙ୍କ ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ସହ ଆଗେଇ ଯିବାକୁ ଘୋଷଣା କରିଛନ୍ତିି। ସରକାର ଆମ ଦାବି ପୂରଣ କରିବାକୁ ଗମ୍ଭୀର ନୁହନ୍ତି ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି।

କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିଛି। ସୂଚନାନୁସାରେ, କୃଷକମାନେ ପଞ୍ଜାବରୁ ଟ୍ରାକ୍ଟର ଏବଂ ଟ୍ରଲି ସହ ବହୁ ସଂଖ୍ୟାରେ କୃଷକମା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ହରିୟାଣାରେ ବି ଏହି ଚାଷୀ ମାନଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତି ଚାଲିଛି।

ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଦିଲ୍ଲୀର ସମସ୍ତ ସୀମାରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ ହୋଇଛି। କୃଷକମାନଙ୍କୁ ଅଟକାଇବା ପାଇଁ ଦିଲ୍ଲୀର ସବୁ ସୀମାରେ କଂକ୍ରିଟ ବ୍ଲକ୍ ସହ ରାସ୍ତାରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି । ଏହାଛଡ଼ା ଚଣ୍ଡିଗଡ଼ରେ ଦୁଇମାସ ପାଇଁ ନିଷେଧାଦେଶ ଲାଗୁ କରାଯାଇଛି। ହରିୟାଣାରେ ଅମ୍ବାଲା, ସିର୍ସା, ରୋହତକ, ସୋନିପତ, ଝାଜର, ଜିନ୍ଦ୍, କୁରୁକ୍ଷେତ୍ର, ଆଦି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୃଷକ ନେତାଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।

କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଦୁଇଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି। ଅମ୍ବାଲା ନିକଟ ଶମ୍ଭୁ ସୀମାରେ ପଞ୍ଜାବ ସୀମାକୁ ସିଲ୍ କରାଯାଇଛି। ଜିନ୍ଦ ଏବଂ ଫତେହାବାଦରେ ପୋଲିସ ଓ ପ୍ରଶାସନ ହାଇ ଆଲର୍ଟରେ ରହିଛି। କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ସୋସିଆଲ ମିଡିଆ ଉପରେ ବା କଡ଼ା ନଜର ରଖାଯାଇଛି।