ଆମ ହସ୍ପିଟାଲ ଯୋଜନା : ଆଜି ୧୫ଟି ଜିଲ୍ଲାର ୭୩ଟି ରୂପାନ୍ତରିତ ଡାକ୍ତରଖାନାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଆମ ହସ୍ପିଟାଲ ଯୋଜନା : ଆଜି ୧୫ଟି ଜିଲ୍ଲାର ୭୩ଟି ରୂପାନ୍ତରିତ ଡାକ୍ତରଖାନାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ହେଉଛି ‘ଆମ ହସ୍ପିଟାଲ’ ଯୋଜନା । ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ସରକାରୀ ଡାକ୍ତରଖାନାର ୫-ଟି ଉପକ୍ରମରେ ରୂପାନ୍ତରୀକରଣ କରାଯିବ । ଏହି ଯୋଜନାରେ ରୂପାନ୍ତରିତ ହୋଇଥିବା ୧୫ଟି ଜିଲ୍ଲାର ୭୩ଟି ଡାକ୍ତରଖାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ଏଥିସହ ‘ଆଇଭିଆର’ ପଦ୍ଧତିରେ ରୋଗୀମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ମଧ୍ୟ ଆଜି ଶୁଭାରମ୍ଭ କରାଯିବ । ଆମ ହସ୍ପିଟାଲଗୁଡିକରେ କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

‘ଆମ ହସ୍ପିଟାଲ’ ଯୋଜନାରେ ୧୪୭ଟି ଡାକ୍ତରଖାନାର ୫-ଟି ରୂପାନ୍ତରଣ କରାଯିବ। ଏଥିପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହା ଦ୍ବାରା ହସ୍ପିଟାଲର ରୂପରେଖ ପରିବର୍ତ୍ତନ କରାଯିବ। ହସ୍ପିଟାଲରେ ନୂଆ କୋଠା ସହ ବିଭିନ୍ନ ଉନ୍ନତମାନର ମେଡିକାଲ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକ ପରିମାଣର ଡାକ୍ତର ଯୋଗାଇବା ସହ ଲୋକମାନଙ୍କ ପାଇଁ ହାତ ପାହାନ୍ତାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦିଆଯିବ।