ବୋଲରଙ୍କ ଚମକ ପରେ ଯଶସ୍ବୀଙ୍କ ଶତକ, ଭାରତ ନିୟନ୍ତ୍ରଣରେ ରାଜକୋଟ୍ ଟେଷ୍ଟ | News Room Odisha

ବୋଲରଙ୍କ ଚମକ ପରେ ଯଶସ୍ବୀଙ୍କ ଶତକ, ଭାରତ ନିୟନ୍ତ୍ରଣରେ ରାଜକୋଟ୍ ଟେଷ୍ଟ

ରାଜକୋଟ୍: ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଶତକ ସହାୟତାରେ ଭାରତ ତୃତୀୟ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୧୯୬ ରନ୍ କରିଛି। ହାତରେ ଆହୁରି ୮ ଓ୍ବିକେଟ୍ ଥିବା ବେଳେ ଭାରତ ଏଯାବତ୍ ମୋଟ ୩୨୨ ରନରେ ଆଗୁଆ ରହି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି ।

ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମାଙ୍କ ଓ୍ବିକେଟ୍ ଶୀଘ୍ର ହରାଇଥିଲା। ହେଲେ ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଓ ଗିଲ୍ ପାଳି ସମ୍ଭାଳିଥିଲେ। ଯଶସ୍ବୀ ଏକ ଆକର୍ଷଣୀୟ ଶତକ ହାସଲ କରିଥିଲେ। ସେ ୯ଟି ଚୌକା ଓ ୫ଟି ଛକା ସହ ୧୦୪ ରନ୍ କରିବା ପରେ ରିଟାୟର ହର୍ଟ ହୋଇ କ୍ରିଜ୍ ଛାଡିଥିଲେ । ଯଶସ୍ବୀଙ୍କ ଏହା ତୃତୀୟ ଟେଷ୍ଟ ଶତକ ଓ ଚଳିତ ସିରିଜରେ ଦ୍ବିତୀୟ। ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଏକ ଦ୍ୱିଶତକ ହାସଲ କରିଥିଲେ। ରିଟାୟର ହର୍ଟ ହେବା ଆଗରୁ ଗିଲଙ୍କ ସହ ଯଶସ୍ବୀ ୧୫୫ ରନ୍ ଭାଗିଦାରୀ କରିଥିଲେ।

ପ୍ରଥମ ଇନିଂସରେ ଖାତା ଖୋଲିପାରି ନଥିବା ଗିଲ୍ ମଧ୍ୟ ଏକ ଦାୟିତ୍ବପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଷ୍ଟମ୍ପ ଅପସାରଣ ବେଳକୁ ସେ ୬୫ ରନ୍ ଅପରାଜିତ ରହିଥିବା ବେଳେ ତାଙ୍କ ସହ ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୩ ରନ୍ କରି ବ୍ୟାଟିଂ କରୁଛନ୍ତି। ଯଶସ୍ବୀ ରିଟାୟର ହର୍ଟ ହୋଇ ଫେରିବା ପରେ କ୍ରିଜକୁ ଓହ୍ଲାଇଥିବା ରଜତ ପାଟିଦାର ପୁଣି ନିରାଶ କରିଥିଲେ । ସେ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ଇଂଲଣ୍ଡ ତରଫରୁ ଟମ୍ ହାର୍ଟଲି ଏବଂ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ପୂର୍ବରୁ ଭାରତୀୟ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ ସହ ଇଂଲଣ୍ଡର ପ୍ରଥମ ଇନିଂସକୁ ୩୧୯ ରନରେ ଶେଷ କରିଥିଲେ । ଫଳରେ ଭାରତ ୧୨୬ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଇଂଲଣ୍ଡ ତୃତୀୟ ଦିନରେ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୦୨/୨ରୁ ଖେଳ ଆରମ୍ଭ କରିଥିଲା। ଲାଗୁଥିଲା ଦଳ ଭାରତର ପ୍ରଥମ ଇନିଂସ୍ ସ୍କୋର୍ (୪୪୫)କୁ ଟପି ଯିବ । ହେଲେ ଷ୍ଟାର ସ୍ପିନର ଅଶ୍ବିନଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରି ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ୍ ୧୫୩ ରନର‌ ଇନିଂସ୍ ଖେଳିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକ୍ସ ୪୧ ରନ୍ କରିଥିଲେ । ଭାରତ ତରଫରୁ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ମା’ଙ୍କ ଅସୁସ୍ଥତା ଯୋଗୁଁ ଅଫ୍ ସ୍ପିନର ଅଶ୍ବିନ ରାଜକୋଟ ଟେଷ୍ଟରୁ ଓହରି ଶୁକ୍ରବାର ରାତିରେ ଚେନ୍ନାଇ ଫେରିଥିଲେ । ସେ ଏହି ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ଓପନର ଜାକ୍ କ୍ରଲିଙ୍କୁ ଆଉଟ୍ କରି କ୍ୟାରିୟରର ୫୦୦ ଓ୍ବିକେଟ୍ ହାସଲ କରିଥିଲେ ।