ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତୋତର ଜନ୍ମ ହେଇଥିବା କଥିତ ଅଛି । ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳେ ।ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ । ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା, ମହା ଶିବରାତ୍ରି ପରି ମହାକୁଭର ଅନେକ ସ୍ନାନ ଦିବସ ମଧ୍ୟରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁ କୁମ୍ଭସ୍ନାନ କରାଯାଏ ।
ଓଡ଼ିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରୀଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।
ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ୱ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତିର ବିଲୟ ଘଟେ । ଏହା ପିଶାଚତ୍ୱ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି:-
ପଦ୍ମପୁରାଣ ମତେ, ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ । କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ଟିକିଏ ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଟି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନା ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ୟ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ । ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ୱର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟପାଇଲେ ଯେ ଜୀବନଟା କେମିତି ଉଦାସ ମନେହେଲା । ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ । ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା । ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ୱର୍ଗରେ ବାସ କଲେ ।
ପୌରାଣିକ: କୌରବ ବଂଶର ଶ୍ରେଷ୍ଠ ତଥା ଯୋଦ୍ଧା, ଜ୍ଞାନୀ, ରାଜଧର୍ମର ଶ୍ରେଷ୍ଠ ପଣ୍ଡିତ ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ଏହିଦିନ ବିଷ୍ଣୁ ସହସ୍ରନାମ ସ୍ତୋତ ଶିଖେଇଥିଲେ । କୌରବଙ୍କୁ ଯୁଦ୍ଧରେ ପରାସ୍ତକରିବା ଲାଗି କିଛି କୌଶଳ ଶିକ୍ଷାଦେବା ସକାଶେ ପାଣ୍ଡବଙ୍କ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର ଶରଶର୍ଯ୍ୟାରେ ଥିବା ଭୀଷ୍ମଙ୍କୁ ନିବେଦନ କରିଥିଲେ । ବିଷ୍ଣୁ ସହସ୍ରନାମ ସ୍ତୋତ୍ର ଜରିଆରେ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ସମ୍ପର୍କରେ ଅବଗତ କରାଇଥିଲେ । ତା ପରଠୁ ଏହି ସ୍ତୋତ୍ରଗାନ କରି ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ।