ବସନ୍ତରେ ଗ୍ରୀଷ୍ମ ତାତି : ୩୭ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ, ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ | News Room Odisha

ବସନ୍ତରେ ଗ୍ରୀଷ୍ମ ତାତି : ୩୭ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ, ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ

ଭୁବନେଶ୍ବର – ରାଜ୍ୟରେ ଦିନର ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ମାଘରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୫ଟି ସହରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ୩୭ ଡିଗ୍ରୀରେ ପହଞ୍ଚିଛି। ଆଜି ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା, ଝାରସୁଗୁଡ଼ା, ପାରଳାଖେମୁଣ୍ଡିରେ ଏହା ୩୫.୬, ଟିଟିଲାଗଡ଼, ନୟାଗଡ଼ ଓ ଜଗତସିଂହପୁରରେ ୩୫.୫, ବଲାଙ୍ଗୀରରେ ୩୫.୩, ଅନୁଗୁଳରେ ୩୫.୧, ଭଦ୍ରକ, ମାଲକାନଗିରି, ତାଳଚେର, ଚାନ୍ଦବାଲି ଓ ବାଲେଶ୍ବରରେ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। କଟକରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।