ଲୋକାର୍ପଣ ପୂର୍ବରୁ ଜାତୀୟ ପୁରସ୍କାର ହାସଲ କଲା ଗଙ୍ଗାଧର ସେଚ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ କୃତଜ୍ଞତା | News Room Odisha

ଲୋକାର୍ପଣ ପୂର୍ବରୁ ଜାତୀୟ ପୁରସ୍କାର ହାସଲ କଲା ଗଙ୍ଗାଧର ସେଚ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ କୃତଜ୍ଞତା

ବରଗଡ: ଆଜି ବହୁ ପ୍ରତୀକ୍ଷିତ ଗଙ୍ଗାଧର ସେଚ ପ୍ରକଳ୍ପର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ପ୍ରକଳ୍ପ ଲୋକାର୍ପଣ ହେବା ପରେ ହୀରାକୁଦ ସେଚାଞ୍ଚଳ ଆହୁରି ସଂପ୍ରସାରିତ ହୋଇଛି। ତେବେ, ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଏହି ପ୍ରକଳ୍ପ ଦେଶର ସର୍ବବୃହତ ପାଇପ ଲାଇନ ଜଳସେଚନ ପ୍ରକଳ୍ପ ହୋଇଥିବା ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ କଥା ହେଲା ଯେ, ଲୋକାର୍ପଣ ପୂର୍ବରୁ ଏହି ପ୍ରକଳ୍ପକୁ ଶ୍ରେଷ୍ଠ ଜ୍ଞାନକୌଶଳ ଯୁକ୍ତ ଭିତ୍ତିଭୂମି ପ୍ରକଳ୍ପ ଭାବେ ପୁରସ୍କାର ମିଳିଛି। ସେପଟେ ଏହି ପ୍ରକଳ୍ପ ବରଗଡ ଏବଂ ସୁବର୍ଣପୁର ଜିଲ୍ଲାରେ ଦ୍ବିତୀୟ ସବୁଜ ବିପ୍ଲବ ଆଣିବ ବୋଲି ଚାଷୀ ମହଲରେ ଆଶା ସଞ୍ଚାର କରିଛି।

ମୁଖ୍ୟମନ୍ତ୍ରୀ ବିଜେପୁରର ପ୍ରଥମ ଉପ ନିର୍ବାଚନ ବେଳେ ଏହି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ। ସେହି ସମୟରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ନାଁରେ ଲଲିପପ୍ ଦେଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ତାଙ୍କର ଅନ୍ୟତମ ଡ୍ରିମ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନକୁ ସାକାର କରିବାକୁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରା ଦମ୍ ଲଗାଇ ଦେଇଥିଲେ।

୨୦୧୮ରେ ପ୍ରକଳ୍ପର ଘୋଷଣା ପରେ ୨୦୧୯ରେ ଏହାକୁ କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା। ୧୬୭୭ କୋଟି ବ୍ୟୟବରାଦ ହୋଇଥିଲା। ଆଉ ଟେଣ୍ଡର ଚୂଡାନ୍ତ ପରେ କରୋନାର ଭୟାବହତା ଭିତରେ ସେପଟେମ୍ବର ୨୦୨୦ରେ ଏହାର କାମ ଆରମ୍ଭ ହୋଇଥିଲା। ଗୁରୁତ୍ବପୂର୍ଣ କଥା ହେଉଛି ଯେ, କରୋନାର ତିନୋଟି ଯାକ ଲହର ଭିତରେ ବି ଏହାର କାମ ଜାରି ରହିଥିଲା। ତେବେ, ୟୁକ୍ରେନ୍- ଋଷିଆ ଯୁଦ୍ଧ ଯୋଗୁଁ ବିଦେଶରୁ ଏହାର ଯନ୍ତ୍ରାଂଶ ଆସିବାରେ ସମସ୍ୟା ହେବାରୁ ନିର୍ମାଣରେ ବାଧା ସୃଷ୍ଟି ହୋଇଥିଲା। ତଥାପି କରୋନା ସମୟରେ ଆରମ୍ଭ ହୋଇଥିବା ଦେଶର ଜଳସଂପଦ ବିଭାଗର ପ୍ରକଳ୍ପ ମଧ୍ୟରେ ଏହା ସର୍ବପ୍ରଥମ ପ୍ରକଳ୍ପ ଭାବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟଯନ୍ତ୍ରୀ ଇଂ ସାହୁ ପ୍ରକାଶ କରିଛନ୍ତି। ହୀରାକୁଦ ଜଳଭଣ୍ଡାରର ବରଗଡ ମୁଖ୍ୟ କେନାଲର ହେଡ୍ ପଏଣ୍ଟରୁ ଏହି ପ୍ରକଳ୍ପ ପାଇଁ ଜଳଯୋଗାଣ ହେଉଛି। ଏଠାରୁ ୫୫ କିମି ଦୂର ବିଜେପୁରର କଣାପାଲି ପର୍ଯ୍ୟନ୍ତ ପାଇପ୍ ଲାଇନ୍ ବିଛା ହୋଇ ସୋହେଲା, ବିଜେପୁର, ବରପାଲି, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଏବଂ ବରଗଡ ସଦର ବ୍ଲକର ମୋଟ୍ ୨୫ ହଜାର ୬ ଶହ ହେକ୍ଟର ଜମିକୁ ପାଇପ୍ ଲାଇନ୍ ସଂଯୋଗ କାମ ଚୂଡାନ୍ତ ହୋଇସାରିଛି।
ଆଉ ଗତ ଅକ୍ଟୋବରରୁ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ସୁଦ୍ଧା ଏହାର ଟ୍ରାଏଲ୍ ରନ୍ ବି ଶେଷ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଲୋକାର୍ପଣ ପରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟକ୍ଷମ ବା କମିଶନିଂ ହୋଇଛି। ଏହା ଚାଷୀଙ୍କ ଦୀର୍ଘ ଦଶନ୍ଧିର ଦାବିକୁ ସାକାର ରୂପ ଦେଇଛି।

ଖୁସିର କଥା ଯେ, ଲୋକାର୍ପଣ ପୂର୍ବରୁ ଗତ ୫ ତାରିଖରେ ଏହାକୁ ବେଷ୍ଟ ଇନଫ୍ରାଷ୍ଟ୍ରକଚର୍ ଇନୋଭେଟିବ୍ ପୁରସ୍କାର ମିଳିଛି। କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସେପଟେ ଆଜି ଏହି ପ୍ରକଳ୍ପର ଲୋକାର୍ପଣ ପରେ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି।