ନୂଆ ଓଡ଼ିଶା ବିଶ୍ଵ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଉଦ୍‌ଯାପିତ : ଦ୍ରୁତ ଅଭିବୃଦ୍ଧି , ନିବେଶ , ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଆଲୋଚନା | News Room Odisha

ନୂଆ ଓଡ଼ିଶା ବିଶ୍ଵ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଉଦ୍‌ଯାପିତ : ଦ୍ରୁତ ଅଭିବୃଦ୍ଧି , ନିବେଶ , ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର – ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି । ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ଵରରେ ଚାଲିଥିବା ପ୍ରଥମ ‘ ନୂଆ ଓଡ଼ିଶା ବିଶ୍ଵ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ର ବ୍ୟାପକ ମାନସମନ୍ଥନ ହୋଇଛି । ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଦେଶର ବିଭିନ ସ୍ଥାନରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ବ , ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ଵ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ସେମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ , ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନରେ ଯୋଡ଼ି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୧୬ଟି ବିଶେଷ ଅଧିବେଶନ କରିଆରେ ସେମାନେ ଭବିଷ୍ୟତରେ ଶିଳ୍ପ ପାଇଁ ଓଡ଼ିଶାରେ ରହିଥ‌ିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥ‌ିବା ପ୍ରମୁଖ ବ୍ୟକ୍ତିତ୍ଵ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ । ମଙ୍ଗଳଦାର ଦିନ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ଯାଢ଼ୀ ଯୋଗଦେଇ କହିଥିଲେ ଯେ , ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶ ବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି । ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ୍ , ମାନୁଫାକଚରିଂ , ଲଜିଷ୍ଟିକ୍ସ ଓ ସପ୍ଲାଏ ଚେନ୍ ତଥା ବିଭିନ୍ନ ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି । ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି ।

ଏହି ଦୁଇଦିନିଆ ସମ୍ମିଳନୀରେ ଏହି ସବୁ ବିଷୟରେ ଯେଉଁ ବ୍ୟାପକ ଆଲୋଚନା ହେଲା ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ । ସୋମବାର ଦିନ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ , ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ବାଟ ଦେଖାଇବ । ସେହିପରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଓଡ଼ିଶାର ରୂପାନ୍ତରଣର ନୂଆ ଯୁଗ ସମ୍ପର୍କରେ ଉପସ୍ଥାପନା କରିଥିଲେ ।

ସମ୍ମିଳନୀର ପ୍ରଥମ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ । ସେ କହିଥିଲେ ଯେ , ସ୍କୁଲ୍‌ – ଇନ୍‌ – ଓଡ଼ିଶା ଏକ ବିଶ୍ଵସ୍ତରୀୟ ବ୍ରାଣ୍ଡ ହୋଇଥିବା ବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀ ପ୍ରମୁଖ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ।

ସମ୍ମିଳନୀର ଦ୍ଵିତୀୟ ଦିନରେ ‘ମିଶନ ଶକ୍ତି ଓଡ଼ିଶା ‘ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା । ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କରିଥିଲେ । ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପକ୍ଷରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ । ଏହାସହ ମଙ୍ଗଳବାର ଦିନ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂନ୍ତୃପ୍ତ ମିଶ୍ର , ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷା ତଥା ବିଶ୍ଵ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗ ଦେଇଥିଲେ । ଦେଶର ବିଭିନ୍ନ ଭାଗରୁ ଆସିଥିବା ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ଵ ଓ ମାନବ ସମ୍ବଳ ଓ ଦକ୍ଷତା ବିକାଶ ବିଶେଷଜ୍ଞମାନଙ୍କ ସକ୍ରିୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା ।