'ସ୍ବୟମ୍' ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷରିତ | News Room Odisha

‘ସ୍ବୟମ୍’ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର -ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ସରକାରଙ୍କ ‘ସ୍ବୟମ୍ ‘ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍କୁଲ୍ ଏଣ୍ଟରପ୍ରାଇଜର୍ସ -ସିଜିଟି ଏମ୍ଏସଇ କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି . ମାଥିଭାଥାନନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ବ୍ୟାଙ୍କର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଏହି ବୁଝାମଣା ପତ୍ରକୁ ସିଜିଟିଏମ୍ ଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦିପ ବର୍ମାଙ୍କ ସହ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶକ , ଅନୁଷ୍ଠାନିକ ଅର୍ଥ , ଅର୍ଥ ବିଭାଗ ଡଃ ପ୍ରଜ୍ଞାହିତା ସାହୁ ସ୍ବାକ୍ଷର କରିଥିଲେ । ବୁଝାମଣା ପତ୍ର ଅନୁଯାୟୀ ସ୍ୱୟଂ ଯୋଜନାରେ ସିଜିଟିଏମଏସଇ ସ୍ବୟମ୍ ଯୋଜନାର ଋଣର
୮୫ % ଅର୍ଥ ଗ୍ୟାରେଣ୍ଟି ଆକାରରେ ପ୍ରଦାନ କରିବେ ଓ ରାଜ୍ୟ ସରକାର ଅବଶିଷ୍ଟ ୧୫ % ଗ୍ୟାରେଣ୍ଟି ପ୍ରଦାନ କରିବେ ।

ଏଥିସହ ସିଜିଟିଏମଏସଇଏସ ଗ୍ୟାରେଣ୍ଟି ଅଂଶ ବାବଦ ବାର୍ଷିକ ଗ୍ୟାରେଣ୍ଟି ଦେୟ ଋଣ ଗ୍ରହିତାଙ୍କ ତରଫରୁ ରାଜ୍ୟ ସରକାର ବହନ କରିବେ । ପ୍ରମୁଖ ଶାସନ ସଚିବ , ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଯୋଜନା ସମ୍ପର୍କରେ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଏହି ଯୋଜନାରେ ଋଣର ସମସ୍ତ ସୁଧଭାର ରାଜ୍ୟ ସରକାର ବହନ କରୁଥ‌ିବା ବିଷୟ ବ୍ୟାଙ୍କ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ସ୍ବୟମ୍‌ ଯୋଜନାରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ନୂଆ କିମ୍ବା ଚାଲୁ ରହିଥ‌ିବା ବ୍ୟବସାୟକୁ ବଢାଇବା ନିମନ୍ତେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି / ଜନଜାତି / ସହରାଞ୍ଚଳର କିନ୍ନରମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୪ ବର୍ଷ ଅଟେ । ଏହି ଋଣ ନିମନ୍ତେ ଋଣ ଗ୍ରହିତାଙ୍କୁ ବ୍ୟାଙ୍କରେ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ବ୍ୟାଙ୍କକୁ କୌଣସି ପ୍ରୋସେସିଂ ଦେୟ ଦେବାକୁ ପଡିବ ନାହିଁ । ଯୋଜନାର ଋଣ ପରିଶୋଧ ଅବଧି ୪ ବର୍ଷ ଯେଉଁଥିରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ ୩ ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି ।