ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ, ପୌରାଣିକ ମତରେ ଶ୍ରୀ ନାରାୟଣ ଆଜିର ଦିନରେ ଗଜକୁ ଉଦ୍ଧାର କରିଥିଲେ | News Room Odisha

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ, ପୌରାଣିକ ମତରେ ଶ୍ରୀ ନାରାୟଣ ଆଜିର ଦିନରେ ଗଜକୁ ଉଦ୍ଧାର କରିଥିଲେ

ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଗଜ କୁ ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ଗଜରାଜ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍କ୍ଷଣାତ ଭକ୍ତଗଜ ଙ୍କୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ ।

ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିର ରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।

ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ । ତତ୍ପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା । ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ଠାକୁର ମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃ ପ୍ରଚଳନ କରାଇଥିଲେ । ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବାସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ, ମଠଟିର ଅବଲୁପ୍ତି ପରେ କିଛି ବର୍ଷ ପାଇଁ ମନ୍ଦିର ପ୍ରଶାସନ ଖର୍ଚ୍ଚରେ ଏ ବେଶ ଅନୁଷ୍ଠିତ ହୋଇଥିଲା। ଅଳ୍ପ କିଛିବର୍ଷ ହେବ ଇମ୍ଫା କମ୍ପାନୀର ପରିଚାଳକ ବଂଶୀଧର ପଣ୍ଡାଙ୍କ ଦାନରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି ।

ଗଜଉଦ୍ଧାରଣ ବେଶ ଶ୍ରୀଜୀଉଙ୍କ ଦି’ପହର ଧୂପ ସରିବା ପରେ ହୋଇଥାଏ। ଏହିବେଶ ସନ୍ଧ୍ୟାରେ ସାହାଣମେଲା ହେବାଯାଏ ରହିଥାଏ। ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ । ଉଡ୍ଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥିଲା। ପକ୍ଷବିସ୍ତାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେବସିଥିଲେ। ଶ୍ରୀଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରିନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥିଲା । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥିଲେ । ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥିଲେ। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥିଲେ ଏବଂ ସେ ପଦ୍ମ କଳିକାଟିଏ ଧାରଣ କରିଥିଲେ ।ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ । ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ଆର୍ତ୍ତ ହରଣ ପାଇଁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ । ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ ।

ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ,ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବ ମାଳି ପ୍ରଭୃତିରେ ଭୁଷିତ ହୋଇଥାନ୍ତି। ଏହି ବେଶ ସମୟତକ ରତ୍ନ ସିଂହାସନରେ ଶୋଭା ପାଉଥିବା ଲକ୍ଷ୍ମୀଙ୍କର ସୁବର୍ଣ୍ଣପ୍ରତିମାଙ୍କୁ ଜଗନ୍ନାଥଙ୍କ କୋଳରେ ରଖାଯାଇଥାଏ ।

ଏହିବେଶ ରେ କ୍ଷୀରି ଓ ଅମାଲୁ ସ୍ୱତନ୍ତ୍ର ଭୋଗ ରୂପେ ଅର୍ପିତ ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ବଢି ଦୈନନ୍ଦିନ ସେବା କାର୍ଯ୍ୟ ସମ୍ପାଦିତ ହୋଇଥାଏ।