ରାଞ୍ଚି ଟେଷ୍ଟରେ ବ୍ଯାକଫୁଟରେ ଭାରତ | News Room Odisha

ରାଞ୍ଚି ଟେଷ୍ଟରେ ବ୍ଯାକଫୁଟରେ ଭାରତ

 

ରାଞ୍ଚି: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଭାରତ ବ୍ଯାକଫୁଟରେ ରହିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୩୫୩ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ହାତରେ ମାତ୍ର ୩ ଓ୍ବିକେଟ୍ ରହିଥିବା ବେଳେ ଭାରତ ଆହୁରି ୧୩୪ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୩୦ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହିତ କୁଲଦୀପ ଯାଦବ ୧୭ ରନରେ ବ୍ୟାଟିଂ କରୁଛନ୍ତି । ଏ ଦୁହେଁ ଅଷ୍ଟମ ଓ୍ବିକେଟ୍ ଭାଗିଦାରୀରେ ଏଯାବତ୍ ୪୨ ରନ୍ ଯୋଗ କରିଛନ୍ତି ।

ଭାରତ ପକ୍ଷରୁ ପୁଣି ଯୁବ ଯଶସ୍ବୀ ଜୈସୱାଲ ସର୍ବୋଚ୍ଚ ସ୍କୋରର ହୋଇଛନ୍ତି । ସେ ଦଳ ତରଫରୁ ସର୍ବାଧିକ ୭୩ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଶୁଭମାନ ଗିଲ୍ ୩୮ ରନ୍ କରିଥିବା ବେଳେ ରଜତ ପାଟିଦାର(୧୭) ପୁଣି ନିରାଶ କରିଥିଲେ । ରବୀନ୍ଦ୍ର ଜାଡେଜା ୧୨ ଓ ସରଫରାଜ ଖାନ୍ ୧୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଇଂଲଣ୍ଡ ତରଫରୁ ସ୍ପିନର ସୋଏବ୍ ବଶୀର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଟମ୍ ହାର୍ଟଲି ୨ଟି ଓ୍ବିକେଟ୍ ହାସଲ କରିଛନ୍ତିି ।

ପୂର୍ବରୁ ଇଂଲଣ୍ଡ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୩୦୨/୭ରୁ ଖେଳ ଆରମ୍ଭ କରିଥିବା ବେଳେ‌ ପ୍ରଥମ ସେସନରେ ୩୫୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜୋ ରୁଟ୍ ୧୨୨ ରନ୍ ସହ ଅପରାଜିତ ରହିଥିଲେ। ତେବେ ୯ ନମ୍ବର ବ୍ୟାଟ୍ସମ୍ୟାନ୍ ଓଲି ରବିନସନ୍ କ୍ୟାରିୟର ଶ୍ରେଷ୍ଠ ୫୮ ରନର ଇନିଂସ୍ ସହ ଭାରତକୁ ପାଣି ପିଆଇଥିଲେ । ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବା ବେଳେ ଡେବୁଟାଣ୍ଟ ଆକାଶଦୀପ ୩ଟି ଏବଂ କୁଲଦୀପ ସିରାଜ୍ ୨ଟି ଓ୍ବିକେଟ୍ ପାଇଥିଲେ ।