ପୁରୀ ଚାଲାଣ ହେଉଥିବା ବେଳେ ୧୧୫୨ କିଲୋ ଭାଙ୍ଗ ଜବତ କଲା କେ. ନୂଆଗାଁ ପୋଲିସ | News Room Odisha

ପୁରୀ ଚାଲାଣ ହେଉଥିବା ବେଳେ ୧୧୫୨ କିଲୋ ଭାଙ୍ଗ ଜବତ କଲା କେ. ନୂଆଗାଁ ପୋଲିସ

ବ୍ରହ୍ମପୁର – କେ. ନୂଆଗାଁ ପୋଲିସ ଏକ ବୋଲେରୋରେ ଚାଲାଣ ହେଉଥିବା ୧ ହଜାର ୧୫୨ ଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରିଛି । ଆଜି ସକାଳେ ପାଟ୍ରୋଲିଂ ଓ ବ୍ଲକିଂ ବେଳେ କେ. ନୂଆଗାଁ ପୋଲିସ ରାଜ୍ୟ ରାଜପଥ ନମ୍ବର ୨୯ରେ ଦିଗପହଣ୍ଡିରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳାରଙ୍ଗର ବୋଲେରୋକୁ ଅଟକାଇଥିଲା । ଡ୍ୟୁଟିରେ ଥିବା ଏଏସଆଇ ସି. ତାରକେଶ୍ୱର ରାଓ ଓ କେ. ନୂଆଗାଁ ପୋଲିସ ଟିମ୍ ବୋଲେରୋକୁ ରତ୍ନେଶ୍ୱରୀ ମନ୍ଦିର ଛକରେ ଅଟକାଇଥିଲେ। ଡ୍ରାଇଭର ଓହ୍ଲାଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଗୋଡ଼ାଇ ଧରିଥିଲେ ପୋଲିସ ଟିମ୍ । ସେ ନିଜକୁ ଯାଜପୁର ଜିଲ୍ଲା ରସିଲପୁର ଗାଁର ସନ୍ତୋଷ ପଣ୍ଡା ବୋଲି ପରିଚୟ ଦେଇଥିଲା । ସେ ଚଳାଉଥିବା ବୋଲେରୋ ଯାଞ୍ଚ କରି ପୋଲିସ ଟିମ୍ ୪୨ଟି ପ୍ଲାଷ୍ଟିକ ଜରି ବ୍ୟାଗରୁ ଭାଙ୍ଗ ଜବତ କରିଥିଲା । ଜବତ ଭାଙ୍ଗ ଗଜପତି ଜିଲ୍ଲାରୁ କିଣାଯାଇ ପୁରୀ ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି। ମୋଟ ୧ ହଜାର ୧୫୨ କେଜି ଭାଙ୍ଗ ସହ ବୋଲେରୋ ଜବତ କରିଛି ପୋଲିସ। ଗିରଫ ଡ୍ରାଇଭରକୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।