କୁଲଦୀପ-ଅଶ୍ବିନଙ୍କ କମାଲ: ଇଂଲଣ୍ଡ ୨୧୮ରେ ଆଉଟ୍ | News Room Odisha

କୁଲଦୀପ-ଅଶ୍ବିନଙ୍କ କମାଲ: ଇଂଲଣ୍ଡ ୨୧୮ରେ ଆଉଟ୍

ଧର୍ମଶାଳା: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୧୮ରେ ଅଲ୍ଆଉଟ୍ ହୋଇଯାଇଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଇଂଲଣ୍ଡ ଦଳ କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲା । ସମସ୍ତ ୧୦ ଓ୍ବିକେଟ୍ ସ୍ପିନର ନେଇଥିଲେ ‌।

ଭାରତ ପକ୍ଷରୁ କୁଲଦୀପ ଯାଦବ ୫ଟି ୱିକେଟ୍ ନେଇଥିବା ବେଳେ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ ୪ଟି ୱିକେଟ୍ ହାତେଇ ଥିଲେ । ଆଉ ଗୋଟିଏ ୱିକେଟ୍ ରବିନ୍ଦ୍ର ଜାଡେଜା ନେଇଥିଲେ ।

ଇଂଲଣ୍ଡ ତା’ର ଶେଷ ୭ ଓ୍ବିକେଟ୍ ମାତ୍ର ୪୩ ରନରେ ହରାଇଥିଲା ‌। ଇଂଲଣ୍ଡ ପକ୍ଷରୁ କେବଳ ଜ୍ୟାକ୍ କ୍ରଲି ୫୦ ଟପିଥିଲେ । ସେ ସର୍ବାଧିକ ୭୯ ରନ୍ କରିଥିଲେ ।

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଆକାଶଦୀପଙ୍କ ସ୍ଥାନରେ ଯସପ୍ରୀତ ବୁମରା ଫେରିଥିବା ବେଳେ ଦେବଦତ୍ତ ପାଡିକ୍କଲ ଡେବ୍ୟୁ କରୁଛନ୍ତି। ରଜତ ପାଟିଦାରଙ୍କ ସ୍ଥାନରେ ପାଡିକ୍କଲ ସୁଯୋଗ ପାଇଛନ୍ତି। ଭାରତୀୟ ସ୍ପିନର ଅଶ୍ବିନଙ୍କ ବ୍ୟତୀତ ଇଂଲଣ୍ଡ ବ୍ୟାଟର ଜନି ବେୟାରଷ୍ଟୋ ମଧ୍ୟ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଛନ୍ତି।